ମହତାବ ଜୟନ୍ତୀ ଅବସରରେ ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର

  • ଡ. ମହତାବ ଥିଲେ ଓଡିଶାର ଉଜ୍ୱଳ ଜ୍ୟୋତି ସ୍ୱରୂପ ମାଗଦର୍ଶକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଥିଲେ ଓଡିଶାର ଉଜ୍ୱଳ ଜ୍ୟୋତି ସ୍ୱରୂପ ମାଗଦର୍ଶକ । ସେ ଥିଲେ ଭୂମି ଓ ଭୂମାପୁତ୍ର । ଆଧୁନିକ ଓଡିଶାର ନବନିର୍ମାତା ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି । ସେକ୍ଟର-୨ ସାହାନାଇ ମଣ୍ଡପ ଠାରେ ଆୟୋଜିତ ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୩ତମ ଜୟନ୍ତୀ, ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚ୍ୟ ବିଷୟ ‘ଡ. ହରେକୃଷ୍ଣ ମହତାବ ଏବଂ ରାଉରକେଲା’ର ଆଲୋଚନା କାଳରେ ଏଭଳି ମତ ପ୍ରକାଶ ପାଇଛି । ସମିତିର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ପ୍ରାଧ୍ୟାପକ ଡ. ସନାତନ ପ୍ରଧାନ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗଦେଇ କହିଲେ ଯେ, ଡ. ମହତାବ କେବଳ ଜଣେ ରାଜନୀତିଜ୍ଞ ନୁହଁ ଜଣେ ସୁସାହିତ୍ୟିକ, ସାମ୍ବାଦିକ, ଐତିହାସିକ ଓ ନବଉତ୍କଳର ଦୂରଦୃଷ୍ଟି ସମ୍ପନ୍ନ ନିର୍ମାତା ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କାଳରେ ତାଙ୍କ ଅବଦାନ, ଆଇଟିଆଇ ସମେତ ଅନେକ ଶିକ୍ଷାନୁଷ୍ଠାନ ନିର୍ମାଣ ତଥା ସହରର ବିକାଶ ସକାଶେ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ । ଅନ୍ୟତମ ବକ୍ତା ଭାବେ ସମାଜସେବୀ ପି.ପି. ରାୟ ଡ. ମହତାବଙ୍କ ସହ ବିତାଇଥିବା ମୂହୁର୍ତ୍ତର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ୨୦୨୨-୨୦୨୩ ପାଇଁ ସମିତିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ସଭାପତି ଶ୍ରୀ ଦାଶଙ୍କ ସଭାପତିତ୍ୱ ଅଭିଭାଷଣ ସହ ଡ. ମହତାବଙ୍କୁ ଭାରତମାତାର ଅନ୍ୟତମ ରତ୍ନ ସଦୃଶ ବୋଲି ଅଭିହିତ କରିଥିଲେ । ସାଧାରଣ ସଂପାଦକ ରାଜେଶ ବାନାର୍ଜୀ ସଂପାଦକୀୟ ବିବରଣୀ ପାଠ ଓ କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉପସଭାପତି ପୁଷ୍ପା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅନୁଷ୍ଠାନର ସହଯୋଗୀ ସଂସ୍ଥା ‘ମ୍ୟୁଜିକ ଥେରାପି’ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଅଜୟ କୁମାର ଖଟୁଆ, ମନୋରଞ୍ଜନ ଦାଶ, ପ୍ରଜ୍ଞା ପରମିତା ସାହୁ, ସ୍ମିତା ମିଶ୍ର, ସୁନିଲ୍ କୟାଲ, ଉପଦେଷ୍ଟା ଶୈଳେନ୍ଦ୍ର ମହାନ୍ତି, ରାଜଦୀପ ମହାନ୍ତି, ରଞ୍ଜନ ପଟ୍ଟନାୟକ, ହିମାଂଶୁ ମହାନ୍ତି, ଏସ.ଏମ. ଅଲ୍ଲୀ, ଅସିତ ଦାସ, ଜୀବନ ସିଂ ମୁଣ୍ଡା, ଏମ ମାଲେଶ୍ୱରମ, ଶୁଭେନ୍ଦୁ ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସରୋଜ କୁମାର ପଣ୍ଡା, ତ୍ରିନାଥ ଲୋହାର, ରଜନୀଶ ସିଂ ଓ ଶଙ୍କର ସହଯୋଗ କରିଥିଲେ । ରାଜୀବ ସିଂହ, ଚନ୍ଦ୍ରଶେଖର ପାଢୀ, ବିନୋଦ ରାଉତ, ପ୍ରଫୁଲ୍ଲ ନାୟକ ଓ ଅନ୍ୟମାନେ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!