
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ବନ୍ୟାରେ ଅଗଷ୍ଟ ମାସରେ ଦୟାନଦୀର କଂଟି ଓ ମାଧିପୁର କାଜ (କଜୱେ) ଦେଇ ନିଷ୍କାସିତ ବନ୍ୟାଜଳ ଯୋଗୁଁ ଲୁଣାନଦୀର ବାମ ପାର୍ଶ୍ଵରେ ଅବସ୍ଥିତ ମୁନିନ୍ଦା, ଧାନକେରା, ଅଭୟମୁଖୀ, ଗୁଆଳିପଡା, ଶ୍ରୀପୁରୁଷୋତ୍ତତ୍ତମପୁର ପଂଚାୟତର ବ୍ୟାପକ ଖରିଫ ଧାନ କ୍ଷେତ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ଚଳିତ ରବି ଋତୁ ବା ଖରାଟିଆ ଧାନ ଚାଷ ନିମନ୍ତେ ଲୁଣାନଦୀରେ ଆନିକଟ (ଚେକ୍ ଡ୍ୟାମ ବା କ୍ରସ୍ ବନ୍ଧ) ନିର୍ମାଣ କରି କ୍ଷେତକୁ ଜଳ ଯୋଗାଇଦେବାକୁ ଚାଷୀମାନେ ଦାବୀ କରିଛନ୍ତି । ଡେଲାଙ୍ଗ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସୋମବାର ଆବାହକ ଅଶୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଡେଲାଙ୍ଗ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ଷଡଙ୍ଗୀଙ୍କୁ ପ୍ରଦାନ କରିଥିଲେ । ଆବାହକ ଶ୍ରୀ ପ୍ରଧାନଙ୍କ ସହ ସାଥୀ କିଶାନ ପଟ୍ଟନାୟକ, ଲିଟୁଲାଲ ଦେବ ସୁବୁଦ୍ଧି, ରାଜ୍ୟ ସରକାରଙ୍କ କୃଷି ଓ କୃଷକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଚଳିତବର୍ଷ କେତେକ ସେଚନାଳରେ ଜଳଯୋଗାଣ ବନ୍ଦ ରହୁଥିବାରୁ ଲୁଣାନଦୀରେ ସେଚନାଳ ଜଳ ପ୍ରବାହ ପୂର୍ବକ ସେବତୀପୁର (ପୂର୍ବପାରୀ) ଠାରେ ଏକ ଆନିକଟ କରି ବାମ ପାର୍ଶ୍ଵରେ ସାତ ପୋଲିଆ ଶଙ୍ଖ ଦେଇ ବିଭିନ୍ନ ପାଟନାଳୀ ଜରିଆରେ ଜଳ ଯୋଗାଇବାକୁ ଚାଷୀମାନେ ଦାବୀ କରିଥିଲେ । ଜଳ ସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମୁଚିତ ପଦକ୍ଷେପ ନେବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଷଡଙ୍ଗୀ ବିକ୍ଷୋଭକାରୀ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ।
