ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ସମାରୋହ ଆଜି ଅନୁଷ୍ଠିତ ହେବ । ଏହା ପୂର୍ବରୁ ଗତକାଲି ସକାଳେ ଭୁବନେଶ୍ୱରରେ ଶାନ୍ତି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ ଘଣ୍ଟା ସମୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକାଓ ଟାକାଡୋ ଅତିଥି ଭାବେ ଯୋଗ ଦେଇ ପତାକା ହଲାଇ ଏହି ଶାନ୍ତି ପଦଯାତ୍ରାର ଶୁଭ ଉଦ୍‌ଘାଟନ କରିଥିଲେ । ରାଜ୍ୟ ସରକାର, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ, ଧଉଳି ଉନ୍ନୟନ ପରିଷଦ କମିଟିର ମିଳିତ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ହେଉଥିବା ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗତକାଲି ଅନୁଷ୍ଠିତ ଏହି ଶାନ୍ତି ପଦଯାତ୍ରାରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସାଧୁସନ୍ଥମାନେ ଯୋଗ ଦେଇଥିଲେ । ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ପ୍ରଥମେ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରୁ ବାହାରି ପଦଯାତ୍ରାରେ ପଥ ସାରା ଢୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ନା-ମ୍ୟୁ-ମ୍ୟୋ-ହୋ-ରେନ୍‌-ଗେ-କ୍ୟୋ- ଉଚ୍ଛାରଣ କରି ରାଜଭବନ ଛକ ଦେଇ ଏ.ଜି ଛକ ପର୍ଯ୍ୟନ୍ତ ଅତିକ୍ରମ କରିଥିଲେ । ଏହାପରେ ସମସ୍ତ ଅତିଥିମାନେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ର ବସ ଯୋଗେ ଧଉଳି ଛକରେ ପହଞ୍ଚିଥିଲେ । ସେଠାରୁ ସେମାନେ ପୁନଶ୍ଚ ପଦଯାତ୍ରାରେ ବାହାରି ଧଉଳି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖ ଠାରେ ପ୍ରାର୍ଥନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା ଭୁବନେଶ୍ୱର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଏହି ପଦଯାତ୍ରାକୁ ସଫଳ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦେଶ ବିଦେଶରୁ ଆସିଥିବା ଏହି ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ । ନୂତନ ଭାବେ ଓଡିଶା ଗସ୍ତ କରିଥିବା ବୌଦ୍ଧ ଭିକ୍ଷୁମାନେ ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରି ଅତ୍ୟନ୍ତ ଭାବବିହ୍ୱଳ ହୋଇଥିଲେ । ଏହି ଅବସରରେ ଧଉଳି ଠାରେ ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରି ଆସୁଥିବା କେତେକ ସଂଖ୍ୟକ ଅଶ୍ୱତ୍‌ଥ ବୃକ୍ଷ ଅତିଥିମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!