ଗରିବଙ୍କ ଟଙ୍କିଆ ପିଡିଏସ ଚାଉଳ ୧୮ ଟଙ୍କାରେ ବିକ୍ରି ଅଭିଯୋଗ : ଚାଉଳ ବୋଝେଇ ପିକ୍ଅପ ଓ ଡ଼୍ରାଇଭର ଥାନାରେ ଅଟକ, ଅସାଧୁ ବେପାରୀ ଫେରାର
ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିଛନ୍ତି । ଯାହା ଫଳରେ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାର ଏକ ଟଙ୍କାରେ ୧ କିଲୋ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ କିଛି ଗରିବ ଶ୍ରେଣୀର ଲୋକ ଦଲାଲଙ୍କ ହାବୁଡରେ ପଡ଼ି ଉକ୍ତ ପିଡିଏସ୍ ଚାଉଳକୁ ୧୮ ଟଙ୍କାରେ ବିକ୍ରି କରି ଦେଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଟଣାଗଡ଼ ଏନ୍ଏସି ସ୍ଥିତ ୬ ଓ ୮ ନମ୍ବର ୱାର୍ଡ ସଅଁରାପଡ଼ାରେ ଦେଖିବାକୁ ମିଳିଛି । ଜଣେ ସମାଜସେବୀଙ୍କ ହସ୍ତକ୍ଷେପ ପରେ ଏହି ଘଟଣା ଲୋକଲୋଚନ ଆସିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ସାଢେ଼ ୪ଟା ସମୟରେ ପାଟଣାଗଡ ଥାନା ଦଳଦଳି ଗାଁର ଜନୈକ ଅସାଧୁ ବ୍ୟବସାୟୀ ସଅଁରାପଡ଼ାରେ ଗରିବଙ୍କ ୧ ଟଙ୍କିଆ ପିଡିଏସ୍ ଚାଉଳ ୧୮ ଟଙ୍କାରେ କିଣି ନିଜ ପିକ୍ଅପ ଗାଡ଼ିରେ ଲୋଡ କରୁଥିଲେ । ଏହି ସମୟରେ ସେହି ପଡ଼ାରେ ଥିବା ଜଣେ ସମାଜସେବୀ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଇଥିଲେ । ପୁଲିସ ଉକ୍ତ ପଡ଼ାରେ ପହଞ୍ଚି ପିଡିଏସ୍ ଚାଉଳ ବୋଝେଇ ପିକଅପ୍ ସହ ଡ଼୍ରାଇଭର ଚୁଳାଚକ୍ରବର୍ତ୍ତି କାଣ୍ଡଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସହ ସଂପୃକ୍ତ ବେପାରୀଙ୍କୁ ଅଟକ ଥିବା ଡ୍ରାଇଭର ମାଧ୍ୟମରେ ଥାନାକୁ ଡକାଯାଇଥିବା ଏସ୍ ଆଇ ବ୍ରଜକିଶୋର ପଣ୍ଡା ସୂଚନା ଦେଇଛନ୍ତି । ଅପର ପକ୍ଷରେ ପୁଲିସ ଗାଡି ଦେଖି ଫେରାର ଥିବା ଅସାଧୁ ବ୍ୟବସାୟୀ ଜଣକ ଉକ୍ତ ପଡାକୁ ଯାଇ ଚାଉଳ ବିକି ଥିବା ଗରିବ ହିତାଧିକାରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆମ୍ଭେ ନିଜ ସ୍ୱଇଚ୍ଛାରେ ଆମ ଚାଉଳ ବିକୁ ଅଛୁ ବୋଲି ପୁଲିସ ଆଗରେ କହିବାକୁ ପ୍ରବର୍ତ୍ତାଉ ଥିବା ସୂଚନା ମିଳିଛି ।