୨୧ରୁ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିଆନସିପ : ସାରା ରାଜ୍ୟରୁ ଭାଗ ନେବେ ୨୦୦ ପ୍ରତିଯୋଗୀ

  • ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବା ଏକ ମାତ୍ର ଉଦ୍ଦେଶ୍ୟ – ଡିବିଏ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର. ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆସନ୍ତା ୨୧ ତାରିଖରୁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିଆନସିପ ଅନୁଷ୍ଠିତ ହେବ । ୧୫ ଓ ୧୭ବର୍ଷ ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେବେ । ବ୍ୟାଡମିଣ୍ଟନ ଖେଳରେ ଏ ସ୍ତରର ପ୍ରତିଯୋଗିତା ଆୟୋଜନ ପାଇଁ ବଲାଙ୍ଗିରକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଥିବା ବେଳେ ଏଭଳି ପ୍ରତିଯୋଗିତା ଅଂଚଳର ଖେଳାଳିମାନଙ୍କୁ ନୂତନ ଖେଳ ଶୈଳୀ ଶିଖାଇବା ସହ ଖେଳିବା ପାଇଁ ପ୍ରେରଣାଦାୟୀ ହେବ । ତେବେ ବ୍ୟାଡମିଣ୍ଟନ ପାଇଁ ସହରରେ ଥିବା ନୂତନ ଇନଡୋର ସୁବିଧାର ସଦ୍‌ଉପଯୋଗ କରି ଏଠାରୁ ଜାତୀୟ ସ୍ତରର ଖେଳାଳି ତିଆରି କରିବା ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ଏକ ମାତ୍ର ଉଦ୍ଦେଶ୍ୟ ବୋଲି ଆଜି ଇନଡୋର ଷ୍ଟାଡିଅମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଘର ସମ୍ପାଦକ ତଥା ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ କହିଛନ୍ତି । ପ୍ରତିଯୋଗିତା ବିଷୟରେ ସେ ଆହୁରି ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ଇନଡୋରଠାରେ ମଙ୍ଗଳବାର ଦିନଠୁଁ ଏକ ଛଅ ଦିନିଆ ବୈଷୟୀକ ଅଧିକାରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୮ ଜଣ ଆଶାୟୀ ଅମ୍ପାୟାର ଯୋଗଦାନ କରିବେ । ପ୍ରଥମ ତିନି ଦିନ ଥିଓରି କ୍ଲାସ ହେବା ପରେ ଦ୍ୱିତୀୟ ପଯ୍ୟାୟରେ ତିନି ଦିନ ସେମାନେ ପ୍ରତିଯୋଗିତାରେ ପ୍ରାକ୍ଟିକାଲ କରିବେ । ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ଅମ୍ପାୟାର ଉଦୟ ସାନେ ଓ ଶୈଳେଶ କୁଲକର୍ଣ୍ଣି ଏମାନଙ୍କୁ ତାଲିମ ଦେବେ । ତିନି ଧରି ଏହି ଶିବର ହେବା ପରେ ୨୧ ତାରିଖ ସକାଳୁ ୧୫ ଓ ୧୭ ବୟଷ ବର୍ଗର ରାଜ୍ୟ ପ୍ରତିଯୋଗିତା ଆରମ୍ଭ ହେବ । ଉଭୟ ବର୍ଗରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେବେ । ରାଜ୍ୟ ସଂପାଦକ ନୀଲିନ କୁମାର, ଚିଫ ରେଫରି ରିତା ଦାଶ, ମ୍ୟାଚ କଣ୍ଟ୍ରୋଲର ବିଜୟ ବାଗ, କୋର୍ଟ ଅଫିସିଆଲ ଚେଆରମ୍ୟାନ ମନୋରଞ୍ଜନ ଦାଶ ଓ ଟିଓ କୋଡିନେଟର ଲକ୍ଷପତି ନନ୍ଦ ତିନି ଦିନ ଧରି ପ୍ରତିଯୋଗିତା ପରିଚାଳନା କରିବେ । ୨୩ ତାରିଖ ଦିନ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବା ସହ ରାଜ୍ୟର ସମସ୍ତ ବୈଷୟୀକ ଅଧିକାରୀମାନଙ୍କୁ କିଟ୍‌ ପ୍ରଦାନ କରାଯିବ ବୋଲି ଶ୍ରୀ ମଟାରୀ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଜିଲ୍ଲା କୋଡିନେଟର ଆଦିତ୍ୟ କେଜରିୱାଲ, ମ୍ୟାଚ କୋଡିନେଟର ସୁରେନ୍ଦ୍ର ନେପାଲ ମଞ୍ଚାସୀନ ଥିବା ବେଳେ ବୈଷୟିକ ଅଧିକାରୀ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଜିଲ୍ଲା ସଭ୍ୟ ବିରେନ୍ଦ୍ର ମିଶ୍ର, ଝୁଲୁ ପଟ୍ଟନାୟକ, କବିଚନ୍ଦ୍ର ଠାକୁର, ସୁନୀଲ ବେହେରା, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.