ମାଟୁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଡୁମେରପିଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମାଟୁପାଲି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ତା.୧୨.୧୦.୨୦୨୨ ବୁଧବାର ଦିନ ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜିତ ଦୋରାଙ୍କୁ ଡାକି ଭୋଜି ଭାତର ଆୟୋଜନ ସହ ମଦ୍ୟପାନ କରିଥିଲେ । ସେଠାରେ ମାତ୍ରାଧିକ ନିଶାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ପାଟିତୁଣ୍ଡ କରୁଥିବାର ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇସାରିଛି । ଶିକ୍ଷକଙ୍କ ଏତାଦୃଶ ବ୍ୟବହାରରେ ଅତିଷ୍ଠ ହୋଇ ଗ୍ରାମବାସୀ ଓ ବିଦ୍ୟାଳୟର ପରିଚାଳନା କମିଟି ତା.୧୩/୧୦/୨୦୨୨ ଗୁରୁବାର ଦିନ ମାଟୁପାଲି ବିଦ୍ୟାଳୟର ଫାଟକକୁ ତାଲା ପକାଇ ଜିଲ୍ଲାପାଳ ବଲାଙ୍ଗିର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦେଓଗାଁଙ୍କୁ ଲିଖିତ ଅବଗତ କରିଥିଲେ । ଶିକ୍ଷକଦ୍ୱୟ ସ୍କୁଲଛୁଟି ପରେ ଏସବୁ ଆୟୋଜନ କରି ଶ୍ରେଣୀ କୋଠରୀରେ ଝାଡା ପରିସ୍ରା କରିଥିବା ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ, ବଲାଙ୍ଗିରଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦେଓଗାଁ ଉପରୋକ୍ତ ଶିକ୍ଷକ ଦ୍ଵୟଙ୍କୁ ତା ୧୩/୧୦/୨୦୨୨ ଦିନ ନିଲମ୍ବନ କରି ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇଛନ୍ତି । ଏତାଦୃଶ ନିୟମ ବିରୁଦ୍ଧାଚରଣ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତ୍ତିରେ ଜିଲ୍ଲା ପ୍ରଶାସନ ଦୃଢତାର ସହିତ ଦୃଢ ପଦକ୍ଷେପ ନେଇଛନ୍ତି ।