ବିଶ୍ୱ ର‍୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି । ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ ଉଠିଛି । ପୂର୍ବବର୍ଷ କିଟ୍‌ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର‍୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି ।

ଏଥିସହ ଦେଶର ପୂର୍ବାଞ୍ଚଳ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ପ୍ରଥମ ସ୍ଥାନରେ ରହିଛି । ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‌କମ୍‌ ଆଦି ମାନଦଣ୍ଡକୁ ନେଇ ଟାଇମ୍ସ ହାୟର ଏଜୁକେଶନ୍‌ ପକ୍ଷରୁ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‍୍ୟାଙ୍କ ପ୍ରସ୍ତୁତ କରାଯାଇଛି । ଚଳିତବର୍ଷ କିଟ୍‌ ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ କିଟ୍‌ର ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଖୁସି ଭରିଦେଇଛି । ଏଥିପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!