ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ ପକ୍ଷରୁ କୁକୁଡା ଚାଷୀମାନଙ୍କର ଜରୁରୀ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ, ଓଡିଶା ଆନୁକୂଲ୍ୟରେ କୁକୁଡା ଚାଷୀମାନଙ୍କର ଏକ ଜରୁରୀ ବୈଠକ ଡେଲାଙ୍ଗ ଶାଖା ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଇସହରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ ଇଣ୍ଟିଗ୍ରେଟର ବ୍ରଏଲର କମ୍ପାନୀର ଶୋଷଣ ତଥା ଚାଷୀ ମାରଣ ବିରୋଧରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେବା ସହିତ ରାଜ୍ୟ କୃଷି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ କୁକୁଡା ଚାଷୀଙ୍କ ସମସ୍ୟା ସମାଧାନରେ ଦ୍ବୈତ ଭୂମିକା ସମ୍ବନ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ଦିନରେ କୁକୁଡା ଚାଷୀଙ୍କ ଆନ୍ଦୋଳନକୁ ଜୋର୍‌ଦାର୍‌ କରାଯିବ ବୋଲି ରାଜ୍ୟ ସଭାପତି ଅଶୋକ ପ୍ରଧାନ ମତବ୍ୟକ୍ତ କରିଥିଲେ । ଆସନ୍ତା କାଲି ଠାରୁ ଡେଲାଙ୍ଗ ବ୍ଲକରେ ପ୍ରତ୍ୟେକ ଚାଷୀଙ୍କ ପାଖକୁ ଦଶଜଣିଆ କମିଟି ପହଞ୍ଚି ସେମାନଙ୍କୁ କମ୍ପାନୀର ଶୋଷଣ ଓ ସରକାରଙ୍କ ବୈମାତୃକ ଭାବ ସମ୍ବନ୍ଧରେ ବୁଝାଇ ସକ୍ରିୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଅକ୍ଟୋବର ୧୪ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡେଲାଙ୍ଗ ବିଭିଓ ଏବଂ ୧୭ ତାରିଖରେ ଜିଲ୍ଲାପାଳଙ୍କୁ ଗଣଧାରଣା ମାଧ୍ୟମରେ ଦାବୀପତ୍ର ଦିଆଯିବ ବୋଲି ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ସୂଚନା ଦେଇଥିଲେ । ଏଥିରେ ସାକ୍ଷୀଗୋପାଳ, କଣାସ, ପିପିଲି ଓ ବାଲିପାଟଣାର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରମେଶ ପାଟ୍ଟଶାଣୀ, ସତ୍ୟବାଦୀ ଶାଖା ସଭାପତି ଭଗବାନ ବିଶ୍ୱାଳ, କଣାସର ଚାଷୀ ତଥା ସରପଞ୍ଚ ଗୁଣନିଧି ପାତ୍ର, ପିପିଲିର ବାଇଧର ସ୍ୱାଇଁ ଯୋଗ ଦେଇଥିଲେ ।

Leave A Reply

Your email address will not be published.