ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନ ଭିତ୍ତିକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉନ୍ମୋଚନ କରିଛନ୍ତି । ଏସବୁ ଅଧ୍ୟୟନ ମାଧ୍ୟମରେ ଲୋକଙ୍କ ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ରକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ହେବ । ଏହା ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବ । ବିବିଧ ବିଷୟରେ ୧୯ଟି ଫଳାଫଳ ଭିତ୍ତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍-୧୯ର ପ୍ରଭାବ, ସିକଲ୍ ସେଲ୍‌ ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା ଏବଂ ଉପକୂଳ ଅଞ୍ଚଳରେ ମତ୍ସ୍ୟଜୀବୀ ସମୁଦାୟ ଏଥିରେ ସ୍ଥାନୀତ ହୋଇଛି । ସେହିପରି ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜୀବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ମଧ୍ୟ ଏଥିରେ ସ୍ଥାନିତ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.