ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଗତକାଲି ବିଜୟା ଦଶମୀ ଅବସରରେ ଭବାନୀପାଟଣାରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି । ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ ଭାବେ ଏହି ପର୍ବ ପାଳିତ ହୁଏ ।
ବିଜୟା ଦଶମୀ ତିଥୀରେ ମାଣିକେଶ୍ୱରୀଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ, ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡିଆକୁ ଯାଇଥିଲେ । ଲାଖମରା ପଡିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଳ ବଳି ଦିଆଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ ।
ଏକ ସୁଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିଙ୍କେଶ୍ୱରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ରାଜ ପରିବାର ଯୁବରାଜ ଫତେ କେଶରୀ ଦେଓ ଲାଖ ଭେଦ କରିଥିଲେ । ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।
ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି । ପରେ ପରେ ମୂଳାଷ୍ଟମୀଠାରୁ ମାଣିକେଶ୍ୱରୀଙ୍କୁ ମୁଣ୍ଡବସା ପର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିବା ବେଳେ ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ବର୍ଷ କଟକଣା ମୁକ୍ତ ହେବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।