ସୁକନ୍ୟା ମହୋତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ଡଳ ଆନୁକୂଲ୍ୟରେ ମଙ୍ଗଳବାର ଦିନ ‘ସୁକନ୍ୟା ମହୋତ୍ସବ’ ସ୍ଥାନୀୟ ସୁକୁଣ୍ଡା ରୋଡ୍‌ ସ୍ଥିତ ନେତାଜୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସହକାରୀ ଡାକ ଅଧ୍ୟକ୍ଷା କିରଣମାଳା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାୟ ଏକ ହଜାରରୁ ଅଧିକ ଶିଶୁ କନ୍ୟାମାନଙ୍କର ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲା ଯାଇଛି । ମହୋତ୍ସବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ ଯେ, ଆମ ନାଗରିକମାନଙ୍କର ଭବିଷ୍ୟତ ଚିନ୍ତାଧାରା ଉତ୍ତମ ମାନର । ସଞ୍ଚୟ ମନୋବୃତ୍ତି ଆମ ଭବିଷ୍ୟତକୁ ସୁରକ୍ଷିତ ରଖି ଆସିଛି । କନ୍ୟା ସନ୍ତାନମାନଙ୍କ ଭବିଷ୍ୟତ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ ସୁଦୃଢତା, ଆର୍ଥିକ ସୁରକ୍ଷା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଭାରତରେ ଅଦ୍ୱିତୀୟ । ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ପଣ୍ଡା କହିଥିଲେ ଯେ, ଡାକ ବିଭାଗ ସାରା ଦେଶରେ ଏକ ବଡ ନେଟୱର୍କା ଭାରତର ପ୍ରତି କୋଣ ଅନୁକୋଣରେ ଦେଢ଼ ଲକ୍ଷରୁ ଅଧିକ ଡାକଘରେ ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିବା ବ୍ୟବସ୍ଥା କରି ଡାକ ବିଭାଗ ମହିଳା ସଶକ୍ତିକରଣର ଦାୟିତ୍ୱ ନେଇଛି । ଡାକ ବିଭାଗର ଏତାଦୃଶ୍ୟ କାର୍ଯ୍ୟ ପ୍ରଶଂସନୀୟ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ କହିଥିଲେ ଯେ, ସାରା ଓଡ଼ିଶାରେ ତିନୋଟି ସ୍ଥାନ ଯଥା ବ୍ରହ୍ମପୁର, ସମ୍ବଲପୁର ଓ କଟକ (ଦକ୍ଷିଣ) ଡାକ ମଣ୍ଡଳଠାରେ ‘ସୁକନ୍ୟା ମହୋତ୍ସବ’ ଆୟୋଜନ ପାଇଁ ସ୍ଥିରିକୃତ ହୋଇଅଛି । ଏହା ବ୍ରହ୍ମପୁର ପାଇଁ ଯେତିକି ଗୌରବ ଆଣେ ତା’ଠାରୁ ଅଧିକ ମହତ୍ତ୍ୱ ରଖେ ଯେ ଏହି ଅଞ୍ଚଳରେ ନାରୀ ସଶକ୍ତିକରଣରେ ଏହା ଯୋଗଦାନ ଦେଉଛି । ଏହା ବ୍ୟତୀତ ଡାକଘରେ ଉପଲବ୍ଧ ବିଭିନ୍ନ ଜାତୀୟ ସଞ୍ଚୟ ଯୋଜନା, ଡାକ ଜୀବନ ବୀମା, ବ୍ୟାଙ୍କିଙ୍ଗ ସୁବିଧା, ଜନସେବା କେନ୍ଦ୍ର ଓ ଅନ୍ୟାନ୍ୟ ଡାକସେବା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଡାକ କର୍ମଚାରୀ, ଅଧିକାରୀ, ଡାକ ଗ୍ରାହକ, ଡାକ ଏଜେଣ୍ଟ, ବୁଦ୍ଧିଜୀବୀ, ସାଂସଦ ଓ ବିଧାୟକଙ୍କ ବହୁ ସମର୍ଥକ ଉପସ୍ଥିତ ଥିଲେ । ବ୍ରହ୍ମପୁର ଉତ୍ତର ଉପଡାକ ମଣ୍ଡଳର ସହକାରୀ ଡାକ ଅଧ୍ୟକ୍ଷା ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡାକ ଓଭରସିୟର ରଜନୀ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଭରସିୟର ଯୁଧିଷ୍ଠିର ବିଷୋୟୀ ସହଯୋଗ କରିଥିଲେ ।

Leave A Reply

Your email address will not be published.