- ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାର୍ଥ ପାଇଁ ଲଢେଇ ନିଷ୍ପତ୍ତି
ବୌଦ୍ଧ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକର କାର୍ଯ୍ୟକାରିଣୀ ବୈଠକ ପଲସାଗୋରା ସଂଘ ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ପଲସାଗୋରା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଯୁଗ୍ମ ସଂପାଦକ ରଂଜୁ ଅମାତ ବୈଠକର ଉର୍ଦ୍ଦେଶ୍ୟ ଓ ପୂର୍ବ ଆଲୋଚନାର ଆଲୋକପାତ କରିଥିଲେ । ସଂଘର ନିର୍ଦ୍ଧାରଣ ଅନୁସାରେ ସଂଘ ପକ୍ଷରୁ ମୃତ୍ୟକାଳୀନ ସହାୟତା ୨ ମାସ ତଳେ ମୃତ୍ୟୁବରଣ କରିଥିବା ଶିକ୍ଷକ ସ୍ୱର୍ଗତ ବିଶ୍ଵାମିତ୍ର କୁଅଁରଙ୍କୁ ଆର୍ଥିକ ସହାୟତା ପ୍ରଦାନ ତୁରନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଯଥା ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବକେୟା ଦରମା, ଡିଏ ଏରୀୟର, ବିଦ୍ୟାଳୟ ସଫେଇକୁ ନେଇ ଉପୁଜୁଥିବା ସମସ୍ୟା, ଶିକ୍ଷକଙ୍କୁ ଆକ୍ରୋଶ ଇତ୍ୟାଦି ଉପରେ ଆଲୋଚନା କରି ଏହାର ସମାଧାନ କରିବାକୁ ସଂଘରେ ବିଭିନ୍ନ ସଦସ୍ୟ ଦାବୀ କରିଥିଲେ । ଆଗାମୀ ୨ ମାସ ମଧ୍ୟରେ ପ୍ରତି କ୍ଲଷ୍ଟର ଏକ ସାଂଗଠନିକ କମିଟି ଗଠନ କରାଯିବ ଏବଂ ସଂଗଠନକୁ ସୁଦୃଢ଼ କରାଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ନେଇ ଲଢେଇ କରାଯିବାକୁ ସଭାପତି ଶ୍ରୀ ଭୋଇ ଦୃଢ଼ତାର ସହ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁଦାମ ମିଶ୍ର, ଯୁଗ୍ମ ସଂପାଦିକା ପ୍ରଜିନା ପାଢ଼ୀ, ବରିଷ୍ଠ ଉପଦେଷ୍ଟା ଲୋକନାଥ ପାଢ଼ୀ, କୋଷାଧ୍ୟକ୍ଷ ବିଶ୍ଵାମିତ୍ର କୁଁହର କାର୍ଯ୍ୟକାରିଣୀ ସଦସ୍ୟ ସୁକଦେବ ମହାଲିକ, ରୂପସିଂ ଖେତୀ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁଶୀଲ ପ୍ରଧାନ, ମହେଶ୍ୱର ମହାଳିକ, ପରାଧୀନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ କାର୍ଯ୍ୟକାରିଣୀ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଶେଷରେ ସଂଘର ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।