ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି, ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି : ଅତିଥି ବକ୍ତାମାନଙ୍କ ମତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି । ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି ବୋଲି ସ୍ଥାନୀୟ ଟାଉନ ହଲ୍‌ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମାରକୀ ବକ୍ତୃତା ‘ସାମ୍ବାଦିକତା ଓ ସାମାଜିକ ମୂଲ୍ୟବୋଧ : କିଛି ଚିନ୍ତା କିଛି ଚେତନା’ ଅବସରରେ ଅତିଥି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ବରଗଡ ସାମ୍ବାଦିକ ସଂଘ ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସଭାପତିତ୍ୱ ଓ ଉପସଭାପତି ବିରେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମାରକୀ ବକ୍ତୃତାରେ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଯତୀନ ଦାଶ ସ୍ଵର୍ଗତ ବିଶ୍ଵାଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ, ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳ ଆମ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାର ପରି ପ୍ରକାଶ କରିବା ପାଇଁ ଯେଭଳି କାର୍ଯ୍ୟ କରୁଥିଲେ ତାହା ଯୁବ ସାମ୍ବାଦିକମାନଙ୍କୁ ସବୁଦିନ ପ୍ରେରଣା ଯୋଗାଇବ । ଶ୍ରୀ ଦାଶ ସାମ୍ବାଦିକତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଗଭୀର ଆଲୋକପାତ କରିଥିଲେ । ପଶ୍ଚିମ ଓଡିଶା ଲୋକକଳା, ସଂସ୍କୃତି, ଜନ ଜୀବନ ଗଣମାଧ୍ୟମରେ ଆସି ଲୋକ ଲୋଚନକୁ ଆଣିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଥିଲା । ନିରପେକ୍ଷ ସାମ୍ବାଦିକତା କରୁଥିବା ସ୍ୱର୍ଗତ ବିଶ୍ଵାଳଙ୍କ ନଖ ଦର୍ପଣରେ ଥିଲା ସମଗ୍ର ପଶ୍ଚିମ ଓଡ଼ିଶା । ବର୍ତ୍ତମାନ ସମସ୍ତ ବ୍ୟବସ୍ଥା ଥାଇ ସୁଦ୍ଧା ଫେକ୍‌ ଖବର ପ୍ରସାରିତ ହେଉଛି, କିନ୍ତୁ ତତ୍କାଳୀନ ପରିସ୍ଥିତିରେ କୌଣସି ସୁଯୋଗ ନ ଥାଇ ମଧ୍ୟ ସେ ସମସ୍ତ ଖବରକୁ ତର୍ଜମା କରି ସେ ତାହା ପ୍ରକାଶ କରୁଥିଲେ ।

ଅନ୍ୟତମ ଅତିଥି ବକ୍ତା ସମ୍ବାଦପତ୍ର ଛାଇର ସମ୍ପାଦକ ସତିଶ ମିଶ୍ର କହିଥିଲେ ଯେ, ବର୍ତ୍ତମାନ ଗଣଙ୍କ କଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି । ଅଖବର ହିଁ ଆସନ୍ତା ଦିନର ଖବର ପାଲଟିବ । ପ୍ରାୟୋଜିତ ଖବର ହିଁ ସମାଜରେ ଘୁରି ବୁଲିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଆଜିର ଦିନରେ ସାଧାରଣ ଜନତାର ଦୁର୍ଦ୍ଦଶା ଖବର ନୁହେଁ । ଆଜି ସମସ୍ତ ଗଣମାଧ୍ୟମ ଦ୍ଵାରା ଖବର ଛାବିବାର ପ୍ରତିଯୋଗିତା ଚାଲିଛି । ସେ ଆହୁରି କହିଥିଲେ ଯେ, ସାମ୍ବାଦିକ ଓ ଗଣ ମାଧ୍ୟମ ଉଭୟ ନିଜର ମୂଲ୍ୟବୋଧ ହରାଇଛି । ମିଡ଼ିଆ ହାଉସର ବିଜ୍ଞାପନ ଦରଦୀ ବ୍ୟବହାର ହିଁ ଆଜି ସାମ୍ବାଦିକ ଓ ସାମ୍ବାଦିକତାର କଣ୍ଠରୋଧ କରୁଛି । ଫଳରେ ନିରପେକ୍ଷ ସାମ୍ବାଦିକତା ଧୂଳିସାତ ହୋଇଛି । ସେ କ୍ଷୋଭର ସହିତ କହିଥିଲେ ଯେ, ଗଣମାଧ୍ୟମରେ ସଠିକ୍ ତଥ୍ୟ ପ୍ରକାଶ ନ ହେବା ହିଁ ଆମ ଦେଶ ଓ ରାଜ୍ୟର ସାମାଜିକ ଅବକ୍ଷୟ ପାଇଁ ଦାୟୀ ଅଟେ । ସଭା ପ୍ରାରମ୍ଭରେ ସଂଘର ସମ୍ପାଦକ ପ୍ରେମାନନ୍ଦ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ପ୍ରବୀଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ରବି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ସଂଘର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଅତିଥି ଦ୍ୱୟଙ୍କୁ ସଂଘ ପକ୍ଷରୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ୨୪ ତାରିଖ ଦିନ ଟାଉନ ହଲ୍‌ରେ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ସ୍ମୃତିଚାରଣ ସଭା ଓ ସ୍ମାରକୀ ବକ୍ତୃତା ସଂଘ ପକ୍ଷରୁ ଆୟୋଜିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!