jayashree

ରୋଗୀ କଲ୍ୟାଣ ସମିତି ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଉକ୍ତ ବୈଠକରେ ସଭାପତିତ୍ୱ କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା, ସିନ୍ଧେକେଲା ପଞ୍ଚାୟତ ସମିତି ସଭ୍ୟ ଭୋଳାନାଥ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ବ୍ୟବଧାନରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ବୈଠକରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱରଞ୍ଜନ ଖୁଣ୍ଟିଆ, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆନନ୍ଦ ମିଶ୍ର ତଥା ଗୋଷ୍ଠୀ କାର୍ଯ୍ୟକ୍ରମ ଓ ଏକାଉଣ୍ଟ ପରିଚାଳକ ଶିବ ପ୍ରସାଦ ରଥ ଯୋଗଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଗତ ବର୍ଷର ଖର୍ଚ୍ଚ ଅନୁମୋଦନ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁବିଧି ଉନ୍ନତି ସକାଶେ ଏବଂ ରୋଗୀମାନଙ୍କ ସୁବିଧା ପାଇଁ ସମସ୍ତ ସଭ୍ୟମାନେ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ବିଭିନ୍ନ ପ୍ରସ୍ତାବ ଗୁଡିକର ଆଲୋଚନା ପରେ ବିଧାୟକ ଅନୁମୋଦନ କରିଥିଲେ । ନୂତନ ପ୍ରସୂତି କକ୍ଷ, ଅସ୍ତ୍ରୋପଚାର କକ୍ଷ ନିର୍ମାଣ, ରକ୍ତ ଭଣ୍ଡାର ସହ ରୋଗୀମାନଙ୍କ ପାଇଁ ଏକ ପ୍ରତୀକ୍ଷାଳୟ କକ୍ଷ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ମେଡ଼ିସିନ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଓ ଷ୍ଟାଫନର୍ସ ପଦବୀ ପୂରଣ ପାଇଁ ଦାବୀ କରାଯାଇଥିଲା । ବିଧାୟକ ଏସବୁ ଉପରେ ଦୃଷ୍ଟି ଦେବେ ବୋଲି କହିଥିଲେ । ରୋଗୀ କଲ୍ୟାଣ ସମିତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସଦସ୍ୟଗଣ ତପନ ଜୈନ, ସଂଜୟ ସିଂଦେଓ, ସନ୍ତୋଷ ନାଏକ, ଗୋପୀନାଥ ସାହୁ, ବିଘ୍ନରାଜ୍ ନାଏକ, ପୂର୍ବତନ ସରପଞ୍ଚ ରାଜା ଥନାପତି, ଯଶୋଦା ମହାନନ୍ଦ, ରୂପଧର ଯୁଗନିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.