ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଦାନ) : ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ତିରୋଧନ ଦିବସ ଓ ବର୍ଷା ସାହିତ୍ୟ ଆସର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୁନ୍ତଳା କୁମାରୀଙ୍କ ସାରସ୍ୱତ ସାଧନା ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଆ ସାରସ୍ୱତ କ୍ଷେତ୍ରରେ କୁନ୍ତଳା କୁମାରୀ ହେଉଛନ୍ତି ଅନନ୍ୟ ଓ ଅଦ୍ୱିତୀୟ । କର୍ମ ଜଞ୍ଜାଳ ଓ ଜୀବନଯାତ୍ରାର ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଯେପରି ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିଥିଲେ ତାହାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ, କୁନ୍ତଳା କୁମାରୀ କବୟିତ୍ରୀ, ଔପନ୍ୟାସିକା, ସଂପାଦିକା ଓ ସମାଜସେବୀକା ଭାବରେ ନିଜର ପ୍ରତିଭା ପରିଚୟ ଦେଇଥିଲେ ହେଁ କାବ୍ୟ କବିତା ଥିଲା ତାଙ୍କର ପ୍ରକୃତ ଚାରଣଭୂମି । ତାଙ୍କ କବିତାବନ୍ଦୀ ମୂଳରୁ ଶେଷ ଯାଏ ପଢିଲେ ଗୋଟିଏ ନାରୀପ୍ରାଣ ଛଳଛଳ ହୋଇ ବହିଯିବାକୁ ଚେଷ୍ଟା କରୁଛି । ତାଙ୍କ ସୃଷ୍ଟି ମଧ୍ୟରେ ସେ ଜଣେ ଭକ୍ତ ସାଧିକା, ପ୍ରେମିକା, ଶିଳ୍ପୀ ଓ ଦେଶ ପ୍ରେମୀ ଭାବେରେ ନିଜର ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ସମ୍ମାନିତ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଉତ୍କଳ ଭାରତୀଙ୍କ ଜୀବନ ଓ ବ୍ୟକ୍ତିତ୍ୱ ଥିଲା ଅଧିକ ବର୍ଣ୍ଣାଢ୍ୟ ଓ ମହତ୍ତର । ପ୍ରଚଣ୍ଡ କର୍ମ ପ୍ରେରଣାର ସେ ଯେପରି ଥିଲେ ଏକ ସ୍ଫୁଲିଙ୍ଗମୟୀ ଆଗ୍ନେୟ ଉତ୍ସ ଓ ସେହି ସ୍ଫୁଲିଙ୍ଗର କିୟଦଂଶ ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ବିକୀର୍ଣ୍ଣ ଓ ବିଚ୍ଛୁରିତ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୁଦାଲି ଅତିଥିଙ୍କ ପରିଚୟ ସହ କୁନ୍ତଳା କୁମାରୀଙ୍କ ସାରସ୍ୱତ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ବର୍ଷା କବିତା ଆସରରେ ବୈଷ୍ଣବୀ ମୁଖୀ, ଅର୍ପିତା ପଣ୍ଡା, ଅର୍ପିତା ମହାନ୍ତି, ସତୀଶ ଲୋହାର, ବିଶ୍ୱଜିତ ସାହୁ, ଶୁଭଙ୍କର ସ୍ୱାଇଁ, ଇତିଶ୍ରୀ ସାମଲ, ଅରୁଣ କୁମାର ନାୟକ, ବର୍ଷା ପାଠକ, ପ୍ରିୟଙ୍କା ସାହୁ, ଶେଖ ଇର୍ଷାଦ ହୁସେନ, ଦୀପିକା ବିଶ୍ୱାସ, ପରଣିତା ସେଠୀ, ଆଶିଷ ନାୟକ, ସ୍ମୃତିରଂଜନ ସାହୁ, ସାଇ ସାଲୋନୀ ମଲ୍ଲିକ, ରଶ୍ମିରାଣୀ ରାଉତ, ସୁତିକା ପାତ୍ର, ଆଶୁତୋଷ ଗୌଡ, ଅମନ ମଲ୍ଲିକ, ସରସ୍ୱତୀ ମିଶ୍ର, ଶୁଭ୍ରାରାଣୀ କର ପ୍ରମୁଖ ଛାତ୍ରଛାତ୍ରୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକ, ପୁଷ୍ପାମାଳା ତ୍ରିପାଠୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.