୨୦୨୧ ବର୍ଷର ବୀମା ରାଶି ପ୍ରଦାନ ଦାବୀରେ ତହସିଲ ଅଫିସ ଘେରାଉ କଲେ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଶତାଧିକ ଚାଷୀ ଗତକାଲି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୦୨୧ ବର୍ଷର କୃଷି ବୀମା ପାଇ ନଥିବାରୁ ଚାଷୀମାନେ ଘେରାଉ କରି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀଙ୍କ ଅଭିଯୋଗ ଯେ, ଗତ ୨୦୨୧ ବର୍ଷ ଅଞ୍ଚଳରେ ଭୟଙ୍କର ମରୁଡି ହୋଇଥିଲା । ଏନେଇ ସରକାର ଅଞ୍ଚଳକୁ ମରୁଡି ଘୋଷଣା କରିଥିଲେ ବି ଆଜି ପର୍ଯ୍ୟନ୍ତ ଚାଷୀ କୃଷି ବୀମା ରାଶି ପାଇବାରୁ ବଞ୍ଚିତ ଅଛନ୍ତି । ଏଥିପାଇଁ ଅଭିଯୋଗ କରୁଥୁଲେ ବି କେହିଁ କର୍ଣ୍ଣପାତ କରୁ ନଥିବାରୁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା କହିଛନ୍ତି ଚାଷୀ । ଅନ୍ୟପଟେ ଚାଷୀମାନଙ୍କ ଅଭିଯୋଗକୁ ମୁଁ ଉପର ଅଧିକାରୀଙ୍କୁ ଜଣାଇଛି ଏବଂ କେମିତି ଚାଷୀ ବୀମା ରାଶି ଟଙ୍କା ପାଇବେ ସେଥିପାଇଁ ଦେଖିବି ବୋଲି ଖପ୍ରାଖୋଲ ତହସିଲଦାର କହିଛନ୍ତି । ଆଗାମୀ ଦିନରେ ଦାବୀ ପୂରଣ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଏଥିରେ ଚାଷୀ ନେତା ତାପସ ରଞ୍ଜନ ବେହେରା, ସୂର୍ଯ୍ୟକାନ୍ତ ସାହୁ, ବିଜୟଲାଲ ବରିହା, ଅନ୍ତ ସାହୁଙ୍କ ସମେତ ବ୍ଲକ ବିଭିନ୍ନ ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.