ଗଣପର୍ବ ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜାବର ଆରଡିସିଙ୍କଠାରେ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସମୟରେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍‌ ବରଗଡ (ଜାବ) ପକ୍ଷରୁ ଗତକାଲି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପାଖରେ ଦାବୀ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଓ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏକ ସ୍ମାରକପତ୍ର ମାଧ୍ୟମରେ ଦାବୀ କରିଛନ୍ତି ଯେ, ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ପରିବାର ମଧ୍ୟରେ ମିଳିତ ହେବାର ସୁଯୋଗ ବହୁତ କ୍ଵଚିତ ମିଳୁଛି । ଗଣପର୍ବ ନୂଆଁଖାଇ ସମୟରେ ପରିବାରର ସଦସ୍ୟମାନେ କାହିଁ ଦୂର ଦୂରାନ୍ତରୁ ଘରକୁ ଆସିଥାନ୍ତି ନବାର୍ଣ୍ଣ ଭକ୍ଷଣ କରିବା ପାଇଁ । କିନ୍ତୁ ଚାକିରି କରୁଥିବା ଲୋକେ କେବଳ ନବାର୍ଣ୍ଣ ଭକ୍ଷଣ କରି ସେହିଦିନ ସନ୍ଧ୍ୟାରେ ଫେରି ଯାଉଛନ୍ତି । ସେମାନଙ୍କ ପାଖରେ ସେହି ସୁଯୋଗ ରହୁନାହିଁ ପରିବାରର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବା ପାଇଁ । ନୂଆଁଖାଇ ଏକ ମାଧ୍ୟମ ଅଟେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପାଇଁ ଓ ତତ୍‌ଦ୍ୱାରା ଯୌଥ ପରିବାରରେ ଭାବାତ୍ମକ ବନ୍ଧନ ସୁଦୃଢ଼ ହୋଇପାରେ । ସଙ୍ଘ ପକ୍ଷରୁ ଶ୍ରୀ ପଣ୍ଡା ଓ ଶ୍ରୀ ମହାପାତ୍ର ନୂଆଁଖାଇ ଗଣପର୍ବ ଅବସରରେ ରାଜ୍ୟ ସରକାରଙ୍କଠାରୁ ସ୍ୱତନ୍ତ୍ର ଆଦେଶ ଆଣି ଦୁଇ ଦିନ ଛୁଟି ଘୋଷଣା କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପାଖରେ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!