କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାଇରିଆ ଓ ମେଲେରିଆ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଶିକ୍ଷକ ଅଲେଖ ବନଗୋଲା, ନରେଶ ତାଣ୍ଡି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବର୍ତ୍ତମାନ ବର୍ଷା ଋତୁ ଚାଲିଛି ତେଣୁ ଆମେ ଯଦି ସଜାଗ ନରହିବା ତେବେ ଆମକୁ ଡାଇରିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି । ଏହି ସବୁ ରୋଗ ନହେବା ପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ସହିତ କିଛି କାମ ନିୟମିତ କରିବିକୁ ପଡିବ ଯେପରିକି ପାଣିକୁ ଗରମ କରି ଥଣ୍ଡା କରି ପିଇବା, ଖାଇବା ଆଗରୁ, ପାଇଖାନରୁ ଫେରିବା ପରେ ଓ ବାହାରୁ ଘରକୁ ଫେରିବା ପରେ ସାବୁନରେ ବାରମ୍ବାର ହାତ ଧୋଇବା, ଗରମ ଓ ତଟକା ଖାଦ୍ୟ ଖାଇବା, ସନ୍ତସନ୍ତିଆ ଜାଗାକୁ ସଫାସୁତୁରା କରି ବ୍ଲିଚିଙ୍ଗ ପକେଇବା, ମଶାରୀ ବ୍ୟବହାର କରିବା ଓ ପରିଷ୍କାର ପରିଛନ୍ନତା ରହିବାକୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ତା’ପରେ ଛାତ୍ରଛାତ୍ରୀ ମାନେ ହାତ ଧୋଇବାର ସୋପାନ କ୍ରମରେ ନିଜ ହାତ ଧୋଇ ଅନ୍ୟମାନଙ୍କୁ ଦେଖାଇଥିଲେ ।