ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ, SDTE_Odisha ପ୍ରମୁଖ ସଚିବ ଗତକାଲି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ବିଶ୍ୱବିଦ୍ୟାଳୟରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ଅଡିଟୋରିୟମ୍, ପୁଲହ ଓ ବଶିଷ୍ଠ ହଲ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ । ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ଲେଡି ଲୁଇସ୍ ବାଳିକା ହାଇସ୍କୁଲ ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ପୁରାତନ ଛାତ୍ରୀଙ୍କ ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।