ବଲାଙ୍ଗିର, (କେପିଏନ୍ଏସ୍) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍ ଆନୁକୂଲ୍ୟରେ ଓ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ସନ୍ତୋଷିନୀ ସେଠୀ ତଥା ସହକର୍ମୀ ବୃନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହାଇସ୍କୁଲର ଛାତ୍ରମାନଙ୍କ ମଧ୍ୟରେ ଗତକାଲି ରଚନା ଲିଖନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ପ୍ରତିଯୋଗୀ ଗୋଷ୍ଠୀରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରମାନେ ଓ ବରିଷ୍ଠ ପ୍ରତିଯୋଗୀ ଗୋଷ୍ଠୀରେ ନବମ, ଦଶମ ଶ୍ରେଣୀର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ତର୍କ ପ୍ରତିଯୋଗିତା ସମୟରେ ୧୯୭୭ ବ୍ୟାଚ୍ର ପୁରୁଣା ଛାତ୍ରମାନେ ଉପସ୍ଥିତ ରହି ଛାତ୍ରମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ହାଇସ୍କୁଲର ଶିକ୍ଷକ ବିକାଶ ଚନ୍ଦ୍ର ସାହୁ ତର୍କ ପ୍ରତିଯୋଗିତା ପରିଚାଳନା କରିଥିଲେ । ଆଗ୍ରହର ସହିତ ପ୍ରତିଯୋଗିତାର ଆୟୋଜନ କରିଥିବାରୁ ୧୯୭୭ ବ୍ୟାଚ୍ ସଭାପତି ରତନ କୁମାର ମହାରଣା ଓ ସାଥୀଗଣ ପ୍ରଦାନ ଶିକ୍ଷକ ତଥା ସହକର୍ମୀ ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆସନ୍ତା ଗୁରୁଦିବସ ଦିନ କୃତି ପ୍ରତିଯୋଗୀମାନଙ୍କୁ ପୃଥ୍ୱୀରାଜ ହାଇସ୍କୁଲ, ୧୯୭୭ ବ୍ୟାଚ୍ ତରଫରୁ ପୁରସ୍କୃତ କରାଯିବ । କନିଷ୍ଠ ବର୍ଗ ପ୍ରତିଯୋଗିତା ପାଇଁ ରଚନା ଲିଖନ ବିଷୟ ଥିଲା- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଓ ତର୍କ ବିଷୟ ଥିଲା ସ୍କୁଲ ଶିକ୍ଷାବ୍ୟବସ୍ଥା ଦଣ୍ଡମୁକ୍ତ ହେବା ଉଚିତ୍ କି ? ଏବଂ ବରିଷ୍ଠ ବର୍ଗ ପ୍ରତିଯୋଗିତା ପାଇଁ ରଚନା ଲିଖନ ବିଷୟ ଥିଲା ଭାରତର ସ୍ୱାଧୀନତା ସଂଗ୍ରାମରେ ନାରୀର ଭୂମିକା ଓ ତର୍କର ବିଷୟ ଥିଲା ସ୍କୁଲର ଶିକ୍ଷାଦାନ ଅନ୍ଲାଇନ୍ ହେବା ଉଚିତ କି ?
ଏଥିରେ ୧୯୭୭ ବ୍ୟାଚ୍ର ରାମଶଙ୍କର ଶତପଥୀ, ସତ୍ୟନାରାୟଣ ପଣ୍ଡା, ବ୍ରଜବନ୍ଧୁ ସାଏ, ରାଜକିଶୋର ଦାସ, ଗଜେନ୍ଦ୍ରନାଥ ସରାଫ୍, ଭଗବାନ ବଗର୍ତ୍ତୀ ଓ ପ୍ରଦୀପ କୁମାର ମିଶ୍ର, ହରେରାମ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।