
- ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ମନ୍ଦିର ସୁରକ୍ଷା ନିମନ୍ତେ ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀର କାର୍ଯ୍ୟର ଅଗ୍ରଗତି ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରିଦର୍ଶନ କରି ସମୀକ୍ଷା କରିଥିଲେ । ସୂଚନା ଅନୁଯାୟୀ, ଗୁରୁବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ଦିରର ଉନ୍ନତି ଏବଂ ଏହାର ଚତୁଃପାର୍ଶ୍ଵ ବିକଶିତ କରାଯାଇଥିବା ସୌନ୍ଦର୍ଯ୍ୟକରଣ ଦେଖି ଖୁସି ପ୍ରକାଶ କରିଥିଲେ । ଉପସ୍ଥିତ ଯନ୍ତ୍ରୀମାନଙ୍କୁ କାର୍ଯ୍ୟର ଗତିକୁ ଅଧିକ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଜଣାଇଥିଲେ । ତିନି ଗୋଟି ଥାକ ବିଶିଷ୍ଟ ପାଚେରୀ କାର୍ଯ୍ୟ କରାଯାଇ ପାହାଡର ସୁରକ୍ଷା ସାଙ୍ଗକୁ ଯାନବାହାନ ରଖିବା ସୁବିଧା କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀଗଣ ଅବଗତ କରାଇଥିଲେ । ମନ୍ଦିର ପାଦଦେଶରେ ବହି ଯାଉଥିବା ଋଷିକୁଲ୍ୟ ନଦୀ ମଧ୍ୟ ଦେଇ ଏକ ସୁଦୀର୍ଘ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନାରେ କାର୍ଯ୍ୟ ଚାଲିଥିବା ସେତୁର ଅଗ୍ରଗତି ସମ୍ପର୍କରେ ସଚିବ ପରିଦର୍ଶନ କରିଥିଲେ । ପ୍ରତାପୁର, ହାଣ୍ଡିଘର, ଆଛୁଳି ରାସ୍ତାର ୪ କି.ମି ପରେ ସେତୁକାର୍ଯ୍ୟ ଚାଲିଛି । ୨୦, ୯୪, ୮୩, ୨୭୯ ମୂଲ୍ୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରି ୭ ତାରିଖ ଦିନଠାରୁ ଏହି ସେତୁ କାର୍ଯ୍ୟ ଚାଲିଛି । ସେତୁଟିର ଦୈର୍ଘ୍ୟ ୩୬୭.୫୬ ମିଟର ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି । ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟାତ ନିମନ୍ତେ ଅନେକ ସୁବିଧା ହେବ । ପୁରୁଷୋତ୍ତମପୁର ଦେଇ କମ ବାଟ ଅତିକ୍ରମ କରି ଲୋକେ ମା’ଙ୍କର ଦର୍ଶନ ସକାଶେ ପହଞ୍ଚିବେ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ମସିହା ଫେବୃଆରି ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ, ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ -୧ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
