ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ୪୧ ନଂ. ରାଜ୍ୟ ରାଜପଥ ଠାରୁ ଦେଉଲି କେଉଟିପାଲି ପର୍ଯ୍ୟନ୍ତ ଯାଇଥିବା ୧୧ କିମି ରାସ୍ତା ଅତି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ସାନ ବଡ଼ ଖାଲଖମା ହୋଇଥିବାରୁ ବିଭିନ୍ନ ସମୟରେ ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତା ୩କୋଟି ୧୩ଲକ୍ଷ ୫୪ହଜାର ୪୭୧ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାମ ହେତୁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗୀୟ ଅଧିକାରୀ ଏହାକୁ ଅଣଦେଖା କରିଥିଲେ । ଏହି ରାସ୍ତାରେ ବଲାଙ୍ଗିର, କଳାହାଣ୍ଡି, ତୁଷୁରା, ଗୁଡ଼ାଭେଳା ଆଦି ବିଭିନ୍ନ ସ୍ଥାନକୁ ନିୟମିତ ଭାରି ଯାନ ଚଳାଚଳ କରୁଛି । ଏହି ରାସ୍ତାରେ କଳାହାଣ୍ଡି ଜିଲ୍ଲା କର୍ଲାଖମନଠାରୁ ଖୁଣ୍ଟିଗୋରା ଦେଇ ଭୁବନେଶ୍ୱରକୁ ଯାତ୍ରୀବାହି ବସ୍ ଚଳାଚଳ କରୁଥିବା ବେଳେ ବଲାଙ୍ଗିର ସହରରୁ ମଧ୍ୟ ଖୁଣ୍ଟିଗୋରାକୁ ବସ୍ ଯାତାୟାତ କରିଥାଏ । କିନ୍ତୁ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ବର୍ଷା ଦିନରେ ବସ୍ ଯାତାୟାତ କରୁନାହିଁ ବୋଲି ଅଭିଯୋଗ ହୋଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ପ୍ରାୟ ଲୋକେ ବଲାଙ୍ଗିର ଜିଲ୍ଲା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଆଦି କାର୍ଯ୍ୟରେ ଯୋଡିହେବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବିଷୟରେ ବିଭାଗୀୟ ଯନ୍ତ୍ରୀ ହେମନ୍ତ ରଣାଙ୍କୁ ଯୋଗାଯୋଗ କରିବାରୁ ବର୍ଷା ଶେଷ ପରେ ମରାମତି କରାଯିବ ବୋଲି କହିଛନ୍ତି ।