ସାମ୍ବାଦିକ ସତ୍ୟ ବେହେରାଙ୍କ ଜନ୍ମ ବାର୍ଷିକୀ ସମାରୋହ

  • ସମାଜକୁ ଆହୁରି ଦାୟିତ୍ୱବାନ ଓ ପ୍ରତିକ୍ରିୟାଶୀଳ ହେବାକୁ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନସେବା ଉଦ୍ଦେଶ୍ୟରେ ଜନ୍ମିତ ସାମ୍ବାଦିକତା ବିଭିନ୍ନ କାରଣ ବସତଃ କାଳକ୍ରମେ ବ୍ୟବସାୟୀକ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସାମ୍ବାଦିକ ଅନେକ ଘାତ ପ୍ରତିଘାତ ସହି ସତ୍ୟ ପରିବେଷଣ କଲା ପରେ ମଧ୍ୟ ସମାଜ ସେହି ଅନୁପାତରେ ସୁଫଳ ପାଇ ପାରୁନାହିଁ, ବରଂ ଉଭୟ ସମାଜ ଓ ସାମ୍ବାଦିକତାର ଅବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି । ଏଭଳି ପରିସ୍ଥିତରେ ସମାଜର ସର୍ବାଙ୍ଗୀନ ଉନ୍ନତିର ଦାୟିତ୍ୱ କେବଳ ବ୍ୟବସ୍ଥା ଓ ଏହାକୁ ଜଗୁଥିବା ସାମ୍ବାଦିକମାନଙ୍କ ଉପରେ ଲଦି ଦେଇ ଚୁପ୍‌ ହୋଇ ରହିଯିବା, ସମାଜକୁ ଆହୁରି ଅନ୍ଧାରକୁ ଠେଲି ଦେବ । ତେଣୁ ସମାଜ ନିଜେ ଜାଗ୍ରତ ରହି ସମୟାନୁସାରେ ନିଜର ଦାୟିତ୍ୱ ବହନ କରିବା ସହ ଆବଶ୍ୟକ ଅନୁଯାୟୀ ପ୍ରତିକ୍ରିୟାଶୀଳ ହେବାକୁ ହେବ । ସୁନେଲି ସ୍ୱପ ଦେଖୁଥିବା ଏକ ସୁପ୍ତ ସମାଜର ସ୍ୱପ୍ନ କେବେ ସାକାର ହୁଏ ନାହିଁ । ଏହାକୁ ସାକାର କରିବାକୁ ହେଲେ ବ୍ୟବସ୍ଥା, ସାମ୍ବାଦିକତା ଓ ସମାଜର ସହଭାଗିତା ନିତାନ୍ତ ଆବଶ୍ୟକ ବୋଲି ଗତକାଲି ସ୍ଥାନୀୟ ପିପି ଏକାଡେମୀ ପରିସରରେ ଦିବଙ୍ଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଜନ୍ମ ସମାରୋହରେ ଅନୁଷ୍ଠିତ ସାଂପ୍ରତିକ ସମାଜ ଓ ସାମ୍ବାଦିକତା ଶିର୍ଷକ ଆଲୋଚନାଚକ୍ରରେ ଆଲୋଚକମାନେ ମତ ପ୍ରକାଶ କରିଛନ୍ତି । ସାମ୍ବାଦିକତାକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଦେଇ ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ବୋଲାଉଥିବା ଦିବଙ୍ଗତ ସାମ୍ବାଦିକ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକୀ ସ୍ଥାନୀୟ ପିପି ଏକାଡେମୀଠାରେ ପାଳନ କରାଯାଇଥିଲା । ସତ୍ୟନାରାୟଣ ବେହେରା ସ୍ମୃତି କମିଟି ଦ୍ୱାରା ଆୟୋଜିତ ଏହି ସମାରୋହ ପ୍ରାରମ୍ଭରେ ସମସ୍ତ ଅତିଥି ଓ ଶ୍ରୋତା ଗଣ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ । ବଲାଙ୍ଗିର ବିଧାୟକ ତଥା ଶ୍ରୀ ବେହେରାଙ୍କ ବାଲ୍ୟବନ୍ଧୁ ନରସିଂହ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଉଭୟଙ୍କ ବନ୍ଧୁତ୍ୱର ଅନେକ ମୁହୁର୍ତ୍ତ ଶ୍ରୋତାଙ୍କ ସହ ବାଣ୍ଟିବା ସହ ସାମ୍ବାଦିକମାନେ ସ୍ୱର୍ଗତ ବେହେରାଙ୍କ ନିର୍ଭିକ ସାମ୍ବାଦିକତା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାଂପ୍ରତିକ ସମାଜ ଓ ସାମ୍ବାଦିକତା ଶିର୍ଷକ ଆଲୋଚନାଚକ୍ରରେ କବି ଭାଗିରଥି ମିଶ୍ର ଓ ସଙ୍ଗଠକ ଧର୍ମେନ୍ଦ୍ର ନନ୍ଦ ଯୋଗଦେଇ ସାମ୍ବାଦିକତାର ବିଭିନ୍ନ ଦିଗ ସହିତ ସମାଜର ଅବସ୍ଥା ଉପରେ ସବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତବ୍ୟ ଉପସ୍ଥିତ ଶ୍ରୋତାଗଣ ବେଶ ମନ୍ତ୍ରମୁଗ୍ଧ କରିଥିଲା । କର୍ମକର୍ତ୍ତା ସାମ୍ବାଦିକ ବଦ୍ରିନାରାୟଣ ମିଶ୍ରଙ୍କ ସ୍ୱାଗତ ଅଭିଭାଷଣରେ ପ୍ରାରମ୍ଭ ହୋଇଥିବା ଏହି ସଭାକୁ ସାମ୍ବାଦିକ ବିଭୁ କଲ୍ୟାଣ ଗଡତିଆ ସଭା ପରିଚାଳନା କରିଥିଲେ ଓ ସାମ୍ବାଦିକା ଜ୍ୟୋସ୍ନାରାଣୀ ଦାଶ ଆଲୋଚନାଚକ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଲିକା ସାହୁ, ପାଟଣାଗଡ ଓ କଣ୍ଟାବାଞ୍ଜି ପ୍ରେସ କ୍ଲବ, ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.