ମହିଳା ଏସ୍‌ସିଏସ୍‌ଓଙ୍କୁ ଯୌନ ନିର୍ଯାତନା ଘଟଣା : ପିଡ଼ିତାଙ୍କୁ ଭେଟି ଆଲୋଚନା କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯୋଗାଣ ବିଭାଗର ମହିଳା ଅଧିକାରୀଙ୍କୁ ଯୌନ ନିର୍ୟାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବଂଲତ ମାଝୀଙ୍କ ନେତୃତ୍ୱରେ ଏକ ଦଳ ପିଡ଼ିତାଙ୍କୁ ଦେଖା କରି ସହଯୋଗର ହାତ ବଢ଼ାଇଛି । ସଙ୍ଘ ନେତ୍ରୀ ଶ୍ରୀମତୀ ମାଝୀ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି । ଶ୍ରୀମତୀ ମାଝୀ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଜିଲ୍ଲା ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ (ସିସିଏସଓ) ମୀର ରାଜା ଅଲ୍ଲୀଙ୍କ ବିରୋଧରେ ଜଣେ ଆଦିବାସୀ ମହିଳା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିବା, ବେଆଇନ ଭାବେ ବିଳମ୍ବିତ ରାତି ଯାଏ କାର୍ଯ୍ୟାଳୟରେ କାମ କରାଇବା, ଅଶାଳୀନ ମନ୍ତବ୍ୟ ଦେବା ସହିତ ଶାରିରୀକ ମାନସିକ ନିର୍ୟାତନା ଦେବା ଭଳି ଗମ୍ଭୀର ଅଭିଯୋଗ ହୋଇଛି । ପ୍ରଥମେ ଜିଲ୍ଲା ପ୍ରଶାସନ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ କାନ ବନ୍ଦ କରିଦେବା ପରେ, ଉକ୍ତ ଆଦିବାସୀ ମହିଳା ଅଧିକାରୀ ଜଣକ ବାଧ୍ୟ ହୋଇ ଗତ ତା.୯-୮-୨୨ରିଖରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଯାହା କେସ ନଂ.୦୪୦୪ ତା.୯/୮/୨୨ ସେକ୍ସନ ୨୯୪,୩୫୪(ଏ), ୫୦୬, ଆଦିବାସୀ ହରିଜନ ନିର୍ୟାତନା ନିବାରଣ ଆଇନ ଧାରା-୩(୧)(ଆର୍‌),୩(୧)(ଏସ୍‌),୩(୨)(ଙ୍ଖବ)ରେ ପଞ୍ଜିକୃତ ହୋଇଛି । ଘଟଣାକୁ ଦୀର୍ଘ ୧୧ ଦିନ ବିତିଯାଇଥିଲେ ସୁଦ୍ଧା ଦୋଷୀକୁ ଖୋଜି ପାଉ ନଥିବା ପୋଲିସ କେବଳ ତଦନ୍ତ ନାଁରେ ଦିନ ଗଡାଉଛି । ନିର୍ୟାତିତା ନ୍ୟାୟ ପାଇଁ ବାର ଦୁଆର ହେଉଥିବା ବେଳେ ଅଭିଯୁକ୍ତ ବେଫିକର ବୁଲୁଛି ଓ ଜିଲ୍ଲା ପୋଲିସ ଓ ପ୍ରଶାସନର ତଦୃପ କାର୍ଯ୍ୟକଳାପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି । ସଂଘ ଆଜି ପିଡ଼ିତା ଘରକୁ ଯାଇ ପିଡ଼ିତାଙ୍କୁ ଭେଟି ଏ ବିଷୟରେ ଆଲୋଚନା କରି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବୀ କରିଛି । ଆଜିର ଏହି ଆଲୋଚନା ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବନଳତା ମାଝୀ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ବଲାଙ୍ଗିର ବ୍ଲକ ଉପସଭାପତି ଅଚ୍ୟୁତ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

Leave A Reply

Your email address will not be published.