କରଣବାହାଲି ପଞ୍ଚାୟତରେ ହାଇସ୍କୁଲ ଖୋଲିବାକୁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କରଣବାହାଲି ପଞ୍ଚାୟତରେ ହାଇସ୍କୁଲ ନଥିବାରୁ ଉଚ୍ଚ ଶିକ୍ଷା ପାଇବାରୁ ଏହି ପଞ୍ଚାୟତର ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି । ଯେଉଁମାନେ ବାଧ୍ୟ ହୋଇ ଅନ୍ୟ ପଞ୍ଚାୟତକୁ ପାଠ ପଢିବାକୁ ଯାଉଛନ୍ତି, ସେହି ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନେ ନଇଁ ନାଲା ପାର୍ ହୋଇ ଯାଉଥିବା ବେଳେ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ପଞ୍ଚାୟତ ଶିକ୍ଷାର ବିକାଶ ନିମନ୍ତେ ଏଠାରେ ଏକ ଉଚ୍ଚ ବିଦ୍ୟାଳୟର ସ୍ଥାପନ କରିବାକୁ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଲ, କରଣବାହାଲି ପଞ୍ଚାୟତ ସରପଞ୍ଚ ଉଦିତ୍ ନାରାୟଣ ଖର୍ସେଲ, ସମିତି ସଭ୍ୟା ସୁଜାତା ଗୁଆଲ ଦାବୀ କରିଛନ୍ତି । ଉକ୍ତ ପଞ୍ଚାୟତର ଏହି ନିର୍ବାଚିତ ଜନ ପ୍ରତିନିଧିମାନେ ଏନେଇ ଏକ ଦାବୀ ପତ୍ର ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ପ୍ରଦାନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି । ଦାବୀ ପତ୍ର ଅନୁସାରେ ଏହି ପଞ୍ଚାୟତ ଓଡିଶା ସୀମାରେ ଅବସ୍ଥିତ, ଏଠାକାର ପ୍ରାୟଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ୫ଟି ଗ୍ରାମ ବିଶିଷ୍ଟ ଏହି ପଞ୍ଚାୟତରେ ୩ହଜାର ଲୋକ ବସବାସ କରୁଛନ୍ତି । ୪ ଗୋଟି ପ୍ରାଥମିକ ବିଦ୍ୟାଳୟ ଓ ୨ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ତେବେ ଉଚ୍ଚ ଶିକ୍ଷା ନିମନ୍ତେ ଏଠିକାର ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନଇଁ ନାଲା ଡେଇଁ ଅନ୍ୟତ୍ର ପାଠ ପଢିବାକୁ ଯାଇ ଅନେକ ଅସୁବିଧା ଭୋଗୁଥିବା ବେଳେ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହୋଉଛନ୍ତି । ତେଣୁ ଏହି ପଞ୍ଚାୟତରେ ଏକ ହାଇସ୍କୁଲ ଖୋଲିବାକୁ ଜରୁରୀ ବୋଲି ପଞ୍ଚାୟତ ବାସୀଙ୍କ ତରଫରୁ ନିର୍ବାଚିତ ଜନ ପ୍ରତିନିଧିମାନେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.