centurian jitm

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କୋଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ଲେନିନ୍‌ ସରଣୀଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସେଠାରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଓ ଉତ୍କଳ ଭବନର ପ୍ରବନ୍ଧକ ରାମଚନ୍ଦ୍ର ହେମ୍ବ୍ରମ୍‌ଙ୍କ ସମେତ ବାବା ହରିଶ୍ଚନ୍ଦ୍ର କଳା ପରିଷଦ, ଓଡ଼ିଶା ପ୍ରଗତି ସଂଘ, ଯାଜପୁର ଆଞ୍ଚଳିକ କମିଟି, ଉତ୍କଳ ଯାଦବ ମହାସଭା କୋଲକାତା, ଜଗନ୍ନାଥ ପୂଜା କମିଟିି, କଳିପାଟ କଲଚରାଲ୍‌ ୱେଲଫେୟାର ସୋସାଇଟି, ଆଖଣ୍ଡଳମଣି ଉନ୍ନୟନ କମିଟି, ନିଖିଳବଙ୍ଗ ଉତ୍କଳ ସମାଜ ଇତ୍ୟାଦି ଅନ୍ୟାନ୍ୟ ଅନୁଷ୍ଠାନର ପ୍ରତିନିଧି ବୃନ୍ଦ ସମବେତ ହୋଇ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।
କୋଲକାତାସ୍ଥିତ ଇଣ୍ଡିଆନ୍‌ ଆସୋସିଏସନ୍‌ ସଭା ଗୃହରେ ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଯୋଗଦେଇ ଅତିଥିମାନେ ସ୍ୱାଧୀନତା ମାନବ ଜାତିର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ଉଲ୍ଲେଖ କରିବା ସହିତ ନିରାପତ୍ତା ଓ ଆର୍ଥିକ ବିକାଶ ବଳରେ ସ୍ୱାଧୀନତାର ପ୍ରକୃତ ଉପଲବ୍ଧି ହୋଇଥାଏ ବୋଲି ମତ ଦେଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମି, ବିଶେଷତ୍ୱ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସଂପର୍କରେ ବକ୍ତବ୍ୟ ରଖି ସ୍ୱାଧୀନତାର ସୁରକ୍ଷା ନିମନ୍ତେ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ । ମିଳିତ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସତ୍ୟଜିତ୍‌ ରାୟ ଫିଲମ୍‌ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ହିମାଂଶୁଶେଖର ଖଟୁଆ, ବିଶିଷ୍ଟ ସମାଜସେବୀ ରାଜଶ୍ରୀ ମହାପାତ୍ର, ଉପସଭାପତି କ୍ଷୀରୋଦ ଧଳ, ବିଶିଷ୍ଟ ସମାଜସେବୀ ବିଶ୍ୱରୂପ ଦେ, ସୂଚନ ଅଧିକାରୀ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ କୋଲକାତା ତଥା ଆଖପାଖ ଅଞ୍ଚଳର ୩୦ଟି ଓଡ଼ଆ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ବିଜୟ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷା ସେଲ୍‌ର ଆବାହକ ପ୍ରଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଲକାତା ମହାନଗରୀର ବହୁ ବିଶିଷ୍ଟ ଓଡ଼ିଆ ବୁଦ୍ଧିଜୀବୀ, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସ୍ୱେଚ୍ଛାସେବୀ ତଥା ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!