csstore

ନରସିଂହଙ୍କ ନୂତନ ବସ୍‌ ଟର୍ମିନାଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିକାଶର ଧାରା ଜାରି ରହିବ ବୋଲି ବିଧାୟକ ନରସିଂହ ମିଶ୍ର ନୂତନ ବସ୍‌ ଟର୍ମିନାଲକୁ ପରିଦର୍ଶନ କରି ମତପ୍ରକାଶ କରିଥିଲେ । ବସ୍‌ଷ୍ଟାଣ୍ଡ ପରିସରର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ବସ୍‌ ଟର୍ମିନାଲରେ ପହଞ୍ଚିବା ମାତ୍ରେ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଓ ବସ୍‌ ଟର୍ମିନାଲରେ କାର୍ଯ୍ୟରତ ସମସ୍ତ କ୍ଷେତ୍ରର କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପାଛୋଟି ନିଆଯାଇଥିଲା । ଏହି ଅବସରରେ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଆନ୍ତରିକ ଉଦ୍ୟମକୁ ଶ୍ରୀ ପଣ୍ଡା ପ୍ରଶଂସା କରିଥିଲେ । ଜିଲ୍ଲାର ବସ୍‌ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ବସ୍‌ ଟର୍ମିନାଲରେ ପର୍ଯ୍ୟାପ୍ତ ସୁବିଧା ଥିବା ଏକ ଶୌଚାଳୟ ଅତିଶୀଘ୍ର ନିର୍ମାଣ କରିବାକୁ ସଂଘର ଦାବୀକୁ ଗୁରୁତ୍ୱର ସହ ବିଚାର କରି ଉପରିସ୍ଥ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ତତ୍‌କ୍ଷଣାତ ଆଲୋଚନା କରିବା ସଂଗେ ସଂଘ କାର୍ଯ୍ୟାଳୟର ଏକ କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେବାକୁ ଶ୍ରୀ ମିଶ୍ର ନିଜର ସମ୍ମତି ପ୍ରଦାନ କରିଥିଲେ । ସଭା ସ୍ଥଳରେ ଉପସ୍ଥିତ ସମସ୍ତ ବସ୍‌ ମାଲିକ, କର୍ମଚାରୀ ଓ ଯାତ୍ରୀମାନେ ଛିଡା ହୋଇ କରତାଳି ମାଧ୍ୟମରେ ଶ୍ରୀ ମିଶ୍ରଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସଭା ଶେଷରେ ସଂଘ ସମ୍ପାଦକ ପ୍ରଦ୍ୟୁତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଞ୍ଚାସୀନ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ ଓ ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ । ସଂଘର ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, ମାନସ ରଞନ ନାୟକ, ସୁନିଲ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ସଞ୍ଜୀବ ପଣ୍ଡା (ଟିଙ୍କୁ), ଭବାନୀ ପଟେଲ, ହିମାଂଶୁ ନାୟକ, ଚନ୍ଦ୍ରମଣି ତ୍ରୀପାଠୀ, ସଞ୍ଜୀବ ସାହୁ, ସୁମନ୍ତ ପଟେଲ, ଶ୍ରୀଦେବ ମିଶ୍ର, ପାରିଶ ପଟେଲ, ଲକି ସାହୁ, ସୁରେଶ ହରିପାଲ, ମୁନା ଶତପଥି ପ୍ରମୁଖ ସଭା ପରିଚାଳନା କରିଥିଲେ । ବସ୍‌ଷ୍ଟାଣ୍ଡରେ ହୋଟେଲ ପରିଚାଳନା କରୁଥିବା ଏସଏଚଜି ଗ୍ରୁପ ସହ ଶତାଧିକ ଜନତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.