ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ଵାଧୀନତା ଦିବସ ପାଳିତ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଅନୁବନ୍ଧିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଡେଲାଙ୍ଗ ପରିସରରେ ୭୬ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ଡେଲାଙ୍ଗ ଅଗ୍ନିଶମ ଅଧିକାରୀ ଚନ୍ଦ୍ର ଶେଖର ଜେନା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନୀତି, ନିୟମ, ପରମ୍ପରା, ଶୃଙ୍ଖଳା, ସମୟାନୁବର୍ତ୍ତିତ ଦେଶ ଭକ୍ତି ଓ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କଲେ ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇ ପାରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହାପରେ କୁନି କୁନି ଛାତ୍ରମାନଙ୍କ କଲମ ମୁନରେ ପ୍ରସ୍ଫୁଟିତ ପ୍ରାଚୀର ପତ୍ରିକା ‘ଜାଗୃତି’କୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ବିଶାଳ ଶୋଭାଯାତ୍ରାରେ ହାତରେ ଜାତୀୟ ପତାକା ଧରି ଘୋଷ ବଜାଇ ଡେଲାଙ୍ଗ ବଜାର ପରିକ୍ରମା କରିଥିଲେ । ଝାଙ୍କିରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଦେଖି ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ । ବଜାର ପରିକ୍ରମା ପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟା ମନ୍ଦିରର ଉପସଭାପତି ଜ୍ଞାନ ରଞ୍ଜନ ସିଂହ, ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ର, ସଭାପତି ଡ଼ା. ବସନ୍ତ କୁମାର ଦାଶ ଓ ସମ୍ପାଦକ କିଶୋର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତାର ମୂଲ୍ୟ ବୁଝାଇବା ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଜଳପାନ ଦିଆଯାଇ ସଭା ସାଙ୍ଗ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ଗୁରୁଜୀ ସର୍ବେଶ୍ଵର ବାରିକ, ବିକ୍ରମ ମଲ୍ଲିକ, କାହ୍ନୁଚରଣ ବେହେରା, ଶରତ ବାରିକ, ଗୁରୁମା ଟୁକୁନୀ ମହାପାତ୍ର, ମମତା ନାୟକ, ବିଜୟ ଲକ୍ଷ୍ମୀ ନାୟକ ଓ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ।

Leave A Reply

Your email address will not be published.