ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ନିଂ କାଉନସିଲ ବୈଠକରେ ଯୋଗଦେବେ । ବୈଠକରେ ନବୀନ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା, କୃଷି, ସ୍ୱାସ୍ଥ୍ୟ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍‌ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବୀ କରିବେ ବୋଲି ସୂଚନା ମିଳିଛି । ଦୀର୍ଘ ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଏହି ଦାବୀ କରିଆସୁଛି । ହେଲେ କେନ୍ଦ୍ର ପ୍ରତିଶୃତି ଦେଇ ଅଣଦେଖା କରିଚାଲିଛି । ନୀତି ଆୟୋଗ ବୈଠକରେ ସେ ଏହାକୁ ପୁଣି ଥରେ ଦୋହରାଇବେ । ଏଥିସହିତ କୃଷି, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏଥିସହିତ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେଇଥିଲେ । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହି ଅବସରରେ ସ୍ୱାଧୀନତାରେ ଓଡ଼ିଶାର ଭୂମିକା କଥା ଉଲ୍ଲେଖ କରିଥିଲେ । ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଓଡ଼ିଶାର ଏକ ବ୍ଲୁ ପ୍ରିଣ୍ଟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱାଧୀନତାରେ ଅବଦାନ କଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.