ଜିଲ୍ଲା ସାମ୍ବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ୨୩ତମ କାରଗିଲ ବିଜୟ ଦିବସ ପାଳିତ

  • ଶହୀଦଙ୍କ ତ୍ୟାଗର ପଟାନ୍ତର ନାହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା’ ଭାରତୀର ବୀରପୁତ୍ରମାନଙ୍କ ଅଦମ୍ୟ ସାହାସ ଓ ପରାକ୍ରମ ଫଳରେ ୨୩ ବର୍ଷ ପୂର୍ବେ ଭାରତୀୟ ସେନା ନିଜ ପ୍ରାଣକୁ ବାଜି ଲଗାଇ କାରଗିଲ ବିଜୟ କରିବାରେ ସଫଳ ହୋଇଥିଲା । ଭାରତ ମାତାର ସର୍ବଶ୍ରେଷ୍ଠ ସନ୍ତାନମାନଙ୍କ ସାହାସ, ପରାକ୍ରମ, ବଳିଦାନ ଓ ବିଜୟର ପ୍ରତୀକ ସେହି ଦିବସକୁ ଗତକାଲି ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇ ଶହୀଦ ସୈନିକ ଓ ଭାରତୀୟ ସେନାର ବୀର ଗାଥାକୁ ଆଗାମୀ ପିଢି ପର୍ଯ୍ୟନ୍ତ ବଢାଇବାର ଏକ ପ୍ରୟାସ ପୁର୍ବକ ବଲାଙ୍ଗିରରେ ଧୁମ୍‌ଧାମ୍‌ରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସମାରୋହରେ ସୈନିକ ସଂଘର ସଭାପତି ବିଭୂତି ଭୁଷଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରେଣ୍ୟ ଅତିଥି ଭାବେ ସମାଜସେବୀ ଡ. ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସବିତା ବାଗ ଯୋଗ ଦେଇଥିବା ବେଳେ ସଂଘର ସଂପାଦକ ପ୍ରତାପ ରଥ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଭାରତମାତାର ଜୟଗାନ ନାରା ଦେଇ ଭାଷଣ ଆରମ୍ଭ କରିଥିଲେ । କାରଗିଲ ଲଢେଇରେ ଶତ୍ର୍ରୁ ପକ୍ଷ ପର୍ବତ ଉପରୁ ଆକ୍ରମଣ କରୁଥିଲେ ହେଁ ଭାରତୀୟ ସୈନିକ କିଭଳି ନିଜର ପରାକ୍ରମ ଦେଖାଇ ଶତ୍ର୍ରୁ ପକ୍ଷର ସର୍ବନାଶ କରିବାରେ ସଫଳ ହୋଇଥିଲେ, ତାହା ଉପରେ ଆଲୋକପାତ କରିଥିଲେ । କେବଳ ସୈନିକମାନଙ୍କ ବଳିଦାନ ଯୋଗୁଁ ଆମେ ସାଧାରଣ ଜନତା ସୁରକ୍ଷାର ନିଶ୍ୱାସ ନେଇ ପାରୁଛୁ, ଯାହାର ଅନେକ ଉଦାହରଣ ରହିଛି । ତେଣୁ ଏହି ସର୍ବୋପରି ସୈନିକମାନଙ୍କ ମଂଗଳ ପାଇଁ ସମସ୍ତେ ଯଥା ସମ୍ଭବ ପ୍ରଯତ୍ନ କରିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଶ୍ରୀମତୀ ବାଗ ପ୍ରତ୍ୟେକ ଯୁଦ୍ଧ ପରେ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକ ପରିବାରର ଆଜୀବନ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ସମାଜ ସହାୟକ ହେଉ ବୋଲି ଆହ୍ୱାନ କରିଥିଲେ । ଏହି ଅବସରରେ ସଂଘର ସଭାପତି ତଥା ସଂପାଦକ ସଂଘର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଇଁତଲା ଅଂଚଳର ଶହୀଦ ଥବିର ବୁଡେକ ଓ ଆଗଲପୁର ଅଂଚଳର ଶହୀଦ ସୁମନ୍ତ ପ୍ରଧାନଙ୍କ ପରିବାରବର୍ଗଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ତା’ ସହ ସଂଘର ତିନି ଜଣ ସକ୍ରିୟ ସଦସ୍ୟ ଯଥା ଘାସୀରାମ ବେହେରା, ପ୍ରଫୁଲ୍ଲ ମେହେର ଓ ସହଦେବ ପୁରୋହିତଙ୍କୁ ମଧ୍ୟ ସଂଘ ପ୍ରତି ତାଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ‘କୋଶଳ ପ୍ରବାହ’ର ସଂପାଦକ ତଥା ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ଆକର୍ଷଣୀୟ ମଂଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!