ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

  • ପଲିଥିନ୍‌ ଏଣ୍ଟ୍ରି ଉପରେ କଟକଣା

ରାଜନଗର : ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଗତ ମେ’ ୧ରୁ ଚଳିତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏନେଇ ପର୍ଯ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯିବ । ଏହା ବାଦ୍‌ ପ୍ଲାଷ୍ଟିକ ବୋତଲ ମଧ୍ୟ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ । ପର୍ଯ୍ୟଟକମାନେ ଯେତିକି ସଂଖ୍ୟକ ପ୍ଲାଷ୍ଟିକ୍‌ ପାଣି ବୋତଲ ଭିତରକନିକା ମଧ୍ୟକୁ ନେବେ, ଫେରିଲା ବେଳେ ସେମାନେ ସେତିକି ବୋତଲ ଧରି ଫେରିବେ । କୌଣସି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ବୋତଲ ଭିତରକନିକା ଜଙ୍ଗଲ କିମ୍ବା ନଦୀନାଳ ମଧ୍ୟକୁ ଯେପରି ନ ଫିଙ୍ଗନ୍ତି, ସେଥିପାଇଁ ସଚେତନ କରାଯିବ ।

ଏଥିସହ ପର୍ଯ୍ୟଟକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼ାଇବାକୁ କନିକା ରେଂଜ୍‌ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି । ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ ଝୋଟରେ ପ୍ରସ୍ତୁତ ବ୍ୟାଗ୍‌ରେ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.