ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୯ ଅଭିଯୁକ୍ତଙ୍କୁ ଗିରଫ କଲା ଫୁଲବାଣୀ ସଦର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ । ଏହା ପୂର୍ବରୁ ଅନ୍ୟ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସଦର ପୋଲିସ । ସୂଚନାନୁଯାୟୀ, ଗଉଡପଡା ଗ୍ରାମର ଜଣେ ନାବାଳିକା ଦୂତିପଡା ଲେମ୍ବୁ ବଗିଚା ହାଇସ୍କୁଲ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ । ସ୍କୁଲ ଛୁଟି ହେବାରୁ ସେ ତାଙ୍କ ମାଆଙ୍କ ସାଙ୍ଗରେ ଘରକୁ ଆସିଥିଲେ । ଘରେ କିଛି ଦିନ ରହିବା ପରେ ସେ ଡକାଙ୍ଗିରେ ଥିବା ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ଘରକୁ ଫେରି ନଥିଲେ । ଦୁଇ ଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ । ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂର୍ବରୁ ନାବାଳିକାକୁ ମାଡ଼ ମାରି ଲହୁଲୁହାଣ କରାଯିବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ନେଇ ଜିଲ୍ଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ପକ୍ଷରୁ ଏସ୍‌ପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବୀ କରାଯାଇଥିଲା । ଗତ ୨୧ ତାରିଖରେ ଏବିଭିପି ପକ୍ଷରୁ ଏକ ବିଶାଳ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏବିଭିପି ଚେତାବନୀ ଦେଇଥିଲା । ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଏହାର ସଠିକ ତଦନ୍ତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ । ଏହା ସହିତ କଂଗ୍ରେସର ମୋହନା ବିଧାୟକ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ଦାଶରଥି ଗମାଙ୍ଗ ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ନାବାଳିକା ପରିବାରକୁ ନ୍ୟାୟ ଦେବା ପାଇଁ ଦାବୀ କରିଥିଲେ । ତେବେ ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

?????????????????????????????????????????????????????????
Leave A Reply

Your email address will not be published.