ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ସାର୍ଟିଫିକେଟ୍

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଘୋଷଣାପତ୍ର ଦାଖଲ କରାଯିବା ପରେ କମିଶନ ଏହି ପ୍ରମାଣପତ୍ର ଜାରି କରିଛନ୍ତି ।
ଉକ୍ତ ପ୍ରମାଣପତ୍ରରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ ମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ମିଳିତ ସ୍ୱାକ୍ଷର ରହିଛି । ବର୍ତ୍ତମାନ ଏହି ପ୍ରମାଣପତ୍ରର ଏକ କପି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ନିକଟକୁ ପଠାଯିବ । ଏହାକୁ ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ପଢ଼ାଯିବ । ଶପଥ ଗ୍ରହଣ ସମାରୋହ ଆସନ୍ତା ୨୫ ତାରିଖରେ ସଂସଦର ଐତିହାସିକ କେନ୍ଦ୍ରୀୟ ହଲ୍‌ରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ରେ ଶେଷ ହେବ । ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଗତ ୧୮ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା । ଗତକାଲି ଭୋଟ ଗଣତି ହୋଇଥିଲା । ପ୍ରାୟ ୧୦ ଘଣ୍ଟା ଧରି ଭୋଟ ଗଣତି ପରେ ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ଶ୍ରୀମତୀ ମୁର୍ମୁ ବିଜୟୀ ହୋଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କୁ ୬୪% ଭୋଟ ମିଳିଥିଲା ବେଳେ ଯଶୱନ୍ତଙ୍କୁ ୩୬% ଭୋଟ ମିଳିଥିଲା ।

Leave A Reply

Your email address will not be published.