ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ : ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା : ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ । ଦ୍ରୌପଦୀଙ୍କ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା, ଶାଶୁଘର ପାହଡ଼ପୁର ଓ ନିଜସ୍ବ ବାସସ୍ଥାନ ରାଇରଙ୍ଗପୁରରେ ଏହାର ପ୍ରଭାବ ବେଶ୍‌ ଦେଖିବାକୁ ମିଳୁଛି ।
ରାଇରଙ୍ଗପୁର ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିବା ବେଳେ ସମସ୍ତ ସହରବାସୀଙ୍କ ମୁହଁ ମିଠା କରିବାକୁ ଚାଲିଛି ଲଡୁ ପ୍ରସ୍ତୁତି । ୫ କୁଇଣ୍ଟାଲ ଓଜନର ଲଡୁ ତିଆରି କରିବାକୁ ଲାଗିଛନ୍ତି ୧୨ଜଣ କାରିଗର । ଭାଜପା (ପଶ୍ଚିମ) ସଙ୍ଗଠନ ସଭାପତି ନବ ଚରଣ ମାଝୀଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଲଡୁ, ମିଠା, ବାଣ ରୋଶଣି ଓ ଗୀତନାଚରେ ମସ୍‌ଗୁଲ ହେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଦଳ ପକ୍ଷରୁ ୧୦ହଜାର ଲଡୁ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ୧୦ହଜାର ଲଡୁ ତିଆରି ଲାଗିଛି । ଭୋଟ ଗଣତି ଆରମ୍ଭ ହେବା ପରେ ଲଡୁ ବଣ୍ଟନ ସହିତ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!