ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍‌ ଚଢ଼ାଉ କରି ୭୩୦.୩୩ ଏମ୍‌ଟି କ୍ରୋମାଇଟ, ୨୭୮.୫୨ ଏମ୍‌ଟି ହାର୍ଡକୋକ୍‌, ଜେସିବି ମେସିନ ଓ ୪୪ ହଜାର ୫ଶହ ଟଙ୍କା ଜବତ କରିଛି । ଏଥିରେ ସମ୍ପୃକ୍ତି ନେଇ ଖୋର୍ଦ୍ଧା ବିଡିଏ କଲୋନୀର ସନ୍ଦୀପ ପାଢୀ ଏବଂ ଢେଙ୍କାନାଳ ଜିଲ୍ଲା ତରଭା ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ବେହେରାଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଟାଉନ ଥାନାରେ ଦଫା ୩୭୯/୪୧୧/ ୪୧୩/୧୨୦(ବି) /ଆଇପିସି ଆର/ଡବ୍ଲ୍ୟୁ.୨୧ ଏମଏମଡିଆର ଆକ୍ଟରେ ଏକ ମାମଲା(ନଂ.୩୫୦/୨୨) ରୁଜୁ ହୋଇଛି । ସୂଚନା ମୁତାବକ, ଗୋଇନ୍ଦା ରିପୋର୍ଟକୁ ଆଧାର କରି ଏସ୍‌ଟିଏଫ୍‌ ସ୍ଥାନୀୟ ପୋଲିସ ସହାୟତାରେ ଶିଳ୍ପାଞ୍ଚଳରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ବେଳେ ବିପୁଳ ପରିମାଣର କ୍ରୋମାଇଟ ଏବଂ ହାର୍ଡକୋକ୍‌ ଜବତ କରିଥିଲା । ତେବେ ଏତେ ପରିମାଣର କ୍ରୋମାଇଟ ଏଠାକୁ କିପରି ଆସିଲା, ଏହି କାରବାର ପଛରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ କରୁଛି ଏସ୍‌ଟିଏଫ୍‌ । ଅନ୍ୟପଟେ ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ବିପୁଳ ପରିମାଣର କ୍ରୋମାଇଟ ଜବତକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.