ଅଧରପଣା ନୀତି ସମ୍ପନ୍ନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି । ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି । ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ । ସାଚି, ଛେନା, ସର, ନବାତ, କ୍ଷୀର, କଦଳୀ, ଲବଙ୍ଗ, ଗୁଜୁରାତି ଆଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା । ମହାସୁଆରମାନେ ପଞ୍ଚଉପଚାରରେ ପଣା ପୂଜା କରିଥିଲେ । ଭୋଗ ପରେ ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ସନ୍ତୁଷ୍ଟି କରିବା ଉଦ୍ଦେଶ୍ୟରେ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯାଇଥିଲା । ଏହି ନୀତି ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ନୀତି ପରେ ଅନ୍ୟାନ୍ୟ ନୀତି ଶେଷ କରାଯାଇ ରାତ୍ର ପହୁଡ଼ ସମ୍ପାଦିତ ହୋଇଥିଲା । ଅଧରପଣା ନୀତି ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି ।

Leave A Reply

Your email address will not be published.