ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

  • “ଅମୃତକାଳର ଲକ୍ଷ୍ୟ ପୂରଣ ପାଇଁ ଦେଶ ଯେଉଁ ସଂକଳ୍ପ ନେଇଛି ତାହାକୁ ପୂରଣ କରିବାରେ ଗୁଜରାଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି”
  • “ପ୍ରାକୃତିକ କୃଷିର ସୁରତ ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ହୋଇପାରିବ”
  • “ ‘ସବ୍‌କା ପ୍ରୟାସ’, ନୂଆ ଭାରତର ବିକାଶ ଯାତ୍ରାର ନେତୃତ୍ୱ ନେଉଛି”
    “ଆମ ଗାଁସବୁ ପ୍ରମାଣିତ କରିଛନ୍ତି ଯେ ଗ୍ରାମ ସମୂହ କେବଳ ପରିବର୍ତ୍ତନ ଆଣନ୍ତି ନାହିଁ, ପରିବର୍ତ୍ତନର ନେତୃତ୍ୱ ମଧ୍ୟ ଦେଇପାରନ୍ତି”
  • “ପ୍ରକୃତି ଓ ସଂସ୍କୃତିରେ ଭାରତ ଏକ କୃଷିଭିତ୍ତିକ ଦେଶ ହୋଇ ରହି ଆସିଛି”
  • “ଏବେ ଆମକୁ ପ୍ରାକୃତିକ କୃଷିର ମାର୍ଗ ଅନୁସରଣ କରି ଆଗକୁ ବଢିବାକୁ ପଡିବ ଏବଂ ବୈଶ୍ୱିକ ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ହେବ”
  • “ପ୍ରମାଣିକୃତ ପ୍ରାକୃତିକ କୃଷିଜାତ ସାମଗ୍ରୀର ରପ୍ତାନୀରୁ ଭଲ ମୂଲ୍ୟ ଚାଷୀ ପାଉଛନ୍ତି”

ନୂଆଦିଲ୍ଲୀ, (ପିଆଇବି) : ଗୁଜରାଟର ସୁରତରେ ଆୟୋଜିତ ପ୍ରାକୃତିକ କୃଷି ସଂକ୍ରାନ୍ତ ଏକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଉଦ୍‌ବୋଧନ ଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଉଥିବା ହଜାର ହଜାର ଚାଷୀ ଏବଂ ଏହି ଚାଷ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷର ଲୋକ ବହୁ ସଂଖ୍ୟାରେ ଯୋଗଦେଇଛନ୍ତି । ଏଥିରେ ଚାଷୀମାନେ ସେମାନଙ୍କ ସଫଳ କାହାଣୀମାନ ଉପସ୍ଥାପିତ କରିଛନ୍ତି । ଏହି ସମ୍ମିଳନୀରେ ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀ ଯୋଗଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଆଜିର ଏହି ସମ୍ମିଳନୀ ଭାରତର ‘ଅମୃତକାଳ”ର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ପ୍ରତ୍ୟେକ ପଞ୍ଚାତୟର ୭୫ ଚାଷୀଙ୍କୁ ପ୍ରାକୃତିକ କୃଷି ସହିତ ସମ୍ପୃକ୍ତ କରି ସୁରତ ଜିଲ୍ଲା ଯେଉଁ ସଫଳତା ହାସଲ କରିଛି ତାହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟିବାକୁ ଯାଉଛି । ପ୍ରାକୃତିକ କୃଷିକୁ ଲୋକପ୍ରିୟ କରିବାରେ ସେ ସରପଞ୍ଚଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଭାରତ ସରକାର ବିଭିନ୍ନ କ୍ଷେତ୍ରରେ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ଶୀଘ୍ର ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏସବୁ ଲକ୍ଷ୍ୟ ପୂରଣ ହେଲେ ଦେଶରେ ବଡଧରଣର ପରିବର୍ତ୍ତନ ଆସିବ ଏବଂ ଭବିଷ୍ୟତ ପାଇଁ ଏହା ବିଶେଷ ଲାଭବାନ ସାବ୍ୟସ୍ତ ହେବ । ବିକାଶର ଭିତ୍ତି ଓ ଦେଶର ବେଗ ‘ସବ୍‌କା ପ୍ରୟାସ’ ନୀତିରେ ଚାଲିଛି । ଏହା ହିଁ ଆମ ବିକାଶଯାତ୍ରାର ନେତୃତ୍ୱ ନେଉଛି । ସେଥିପାଇଁ ଗ୍ରାମ ପଞ୍ଚାୟତଗୁଡିକୁ ଗରିବଙ୍କ ବିକାଶମୂଳକ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କୃଷିକୁ ପ୍ରତି ପଞ୍ଚାୟତରେ ଲୋକପ୍ରିୟ କରିବାରେ ପଞ୍ଚାୟତଗୁଡିକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେମାନଙ୍କ ସାହାଯ୍ୟ ସହଯୋଗ ବିନା ସମ୍ପୃକ୍ତ ଚାଷୀ ଆବଶ୍ୟକ ତାଲିମ, ସାହାଯ୍ୟ, ସମ୍ବଳ ଓ ପ୍ରୋତ୍ସାହନ ପାଇ ନ ଥାନ୍ତେ । ଏଭଳି ସହଯୋଗ ସମଗ୍ର ଦେଶରେ ପଞ୍ଚାୟତ ସ୍ତରରେ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ସୁରତର ଏହି ପ୍ରାରମ୍ଭିକ ପ୍ରୟାସ ଦ୍ୱାରା ୫୫୦ ପଞ୍ଚାୟତର ୪୦ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ସହିତ ଜଡିତ ହୋଇ ପାରିଛନ୍ତି । ଏହା ଏକ ବିରାଟ ଅୟମାରମ୍ଭ ଏବଂ ଅତ୍ୟନ୍ତ ଉତ୍ସାହପଦ । ସୁରତରେ ଏହି ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ମଡେଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଯେତେବେଳେ ବଡ ବଡ ପ୍ରକଳ୍ପମାନ ଜନସାଧାରଣଙ୍କ ଅଂଶଗ୍ରହଣ ଜନିତ ଶକ୍ତି ନେଇ ଆରମ୍ଭ ହୁଏ ସେତେବେଳେ ଦେଶର ଜନତା ସେସବୁର ସଫଳତାକୁ ସୁନିଶ୍ଚିତ କରିଥାନ୍ତି । ଜଳ ଜୀବନ ମିଶନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି ଏବଂ ସେମାନେ ହିଁ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିଭଳି ସେ ଡିଜିଟାଲ ଇଣ୍ଡିଆ ମିଶନର ସଫଳତାର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁମାନେ କହୁଥିଲେ, ଦେଶରେ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ ସଫଳ କାହାଣୀ ସେମାନଙ୍କ ପାଇଁ ଏକ ଯଥାର୍ଥ ଉତ୍ତର । ଆମ ଗାଁମାନେ ଦେଖାଇ ଦେଇଛନ୍ତି ଯେ ଗ୍ରାମରେ ପରିବର୍ତ୍ତନ ଆଣିବା ସହିତ ଏହାର ନେତୃତ୍ୱ ଦେବାକୁ ଗାଁ ସମୂହ ସମର୍ଥ । ଆଗାମୀ ଦିନରେ ପ୍ରାକୃତିକ କୃଷି ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହିତ ବିପୁଳ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଯେଉଁ ଚାଷୀମାନେ ପ୍ରାକୃତିକ କୃଷି ସହିତ ଆଗୁଆ ସମ୍ପୃକ୍ତ ହେବେ ଓ ଏହି ପଦ୍ଧତିକୁ ଆପଣାଇବେ ସେମାନେ ସେତେ ଶୀଘ୍ର ଉପକୃତ ହେବେ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ସ୍ୱାସ୍ଥ୍ୟ,ଜୀବନ ଓ ସମାଜର ମୂୂଳ ଭିତ୍ତି ହେଲା କୃଷି ବ୍ୟବସ୍ଥା । ଭାରତ ଉଭୟ ପ୍ର୍‌୍‌କୃତ ସଂସ୍କୃତି ଦୃଷ୍ଟିରୁ ଏକ କୃଷିଭିତ୍ତିକ ଦେଶ । ତେଣୁ ଆମ ଚାଷୀଙ୍କର ଉନ୍ନତି ଘଟିଲେ ଆମ ଚାଷର ଉନ୍ନତି ଘଟିବ ଓ ଦେଶ ପ୍ରଗତି କରି ସମୃଦ୍ଧ ହେବ । ପ୍ରାକୃତିକ କୃଷି ପଦ୍ଧତି ସମୃଦ୍ଧିର ଏକ ମାଧ୍ୟମ ହେବା ସହିତ ମାଟି ମା’କୁ ସମ୍ମାନ ଦେଇ ତାହାର ସେବା କରିବାର ଏକ ଉପାୟ ବୋଲି ପ୍ରଧାନମନ୍ତ୍ରୀ କୃଷକ ସମୁଦାୟଙ୍କୁ କହିଛନ୍ତି । ସେ କହିଛନ୍ତି ଯେ “ ଆପଣମାନେ ଯେତେବେଳେ ପ୍ରାକୃତିକ ପଦ୍ଧତିରେ ଚାଷ କରିବେ, ସେତେବେଳେ ମାଟି ମା’ର ସେବା କରି ମୃତ୍ତିକା ମାନ ଏବଂ ଏହାର ଉତ୍ପାଦକତାକୁ ତାକୁ ସୁରକ୍ଷିତ ରଖି ପାରିବେ । ପ୍ରାକୃତିକ କୃଷି ମାଧ୍ୟମରେ ଆପଣମାନେ ପ୍ରକୃତି ଓ ପରିବେଶର ସୁରକ୍ଷା କରିବାରେ ସଫଳ ହେବେ । ପ୍ରାକୃତିକ କୃଷି ଦ୍ୱାରା ମଧ୍ୟ ଗୋମାତାଙ୍କ ସେବା କରିବାର ସୁଯୋଗ ମିଳିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣ ପ୍ରସଙ୍ଗରେ ଆହୁରି କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ସହଣୀୟ ଓ ନିରନ୍ତର ଜୀବନ ଶୈଳୀ କଥା କହୁଛି । ଏହା ଏକ ବିଷୟ ଯେଉଁଥିରେ ଭାରତ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱର ନେତୃତ୍ୱ ନେଇ ଆସୁଛି । ବଂଚିବା ପାଇଁ ମଣିଷର ସର୍ବନିମ୍ନ ଆବଶ୍ୟକତା ପୂରଣ ଏବଂ ପ୍ରାକୃତିକ ସମ୍ବଳର ବିଚାର ପୂର୍ବକ ବ୍ୟବହାର କଥା ଭାରତୀୟ ସଂସ୍କୃତିରେ ପ୍ରାଧାନ୍ୟ ଲାଭ କରିଆସିଛି । ଅତଏବ ଆମେ ପ୍ରାକୃତିକ କୃଷିକୁ ବ୍ୟାପକ ଆକାରରେ ଗ୍ରହଣ କରି ସମଗ୍ର ବିଶ୍ୱରେ ଏ ନେଇ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହାର ପୂର୍ଣ୍ଣ ଉପଯୋଗ କରିବାରେ ସମୟ ଆସିଛି । ପରମ୍ପରାଗତ କୃଷି ବିକାଶ ଯୋଜନା ସହିତ ପ୍ରାକୃତିକ କୃଷିର ପ୍ରୋତ୍ସାହନ ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ମଧ୍ୟରେ କହିଛନ୍ତି । ପରମ୍ପରାଗତ କୃଷି ବିକାଶ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏଥିରେ ପାରମ୍ପରିକ ଚାଷ ପାଇଁ ଚାଷୀଙ୍କୁ ତାଲିମ ଓ ସାଧନ ଯୋଗାଇ ଦିଆଯାଉଛି । ସମଗ୍ର ଦେଶରେ ଏଥିପାଇଁ ୩୦ହଜାର ପ୍ରାକୃତିକ କୃଷି ଚକଡା (କ୍ଲଷ୍ଟର) ସୃଷ୍ଟି କରାଯାଉଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ । ପରମ୍ପରାଗତ କୃଷି ବିକାଶ ଯୋଜନାରେ ୧୦ଲକ୍ଷ ହେକ୍ଟର ଜମି ଅନ୍ତର୍ଭୁକ୍ତ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ କୃଷିକୁ ନମାମି ଗଙ୍ଗେ ପ୍ରକଳ୍ପ ସହିତ ସମ୍ପୃକ୍ତ କରାଯାଇଛି । ଏଥିରେ ଗଙ୍ଗାନଦୀର ଉଭୟ ପାଶ୍ୱର୍ରେ ପ୍ରାକୃତିକ କରିଡର ସୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।
ପ୍ରାକୃତିକ କୃଷିର ଉତ୍ପାଦଗୁଡିକୁ ସାର୍ଟିଫିକେଟ ପ୍ରଦାନ ବା ଏହାର ପ୍ରମାଣନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ କ୍ୱାଲିଟି ଆସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ କୃଷିଜାତ ପଦାର୍ଥଗୁଡିକ ଏହା ଦ୍ୱାରା ପ୍ରମାଣପତ୍ର ପାଇଲେ ସେସବୁର ଚାହିଦା ଦେଶବିଦେଶରେ ବଢିବ । ପ୍ରାମାଣିକ ପ୍ରାକୃତିକ କୃଷିଜାତ ସାମଗ୍ରୀର ଚାହିଦା ବିଦେଶରେ ଭଲ ଏବଂ ଏହାର ମୂଲ୍ୟ ଅଧିକ ରହୁଛି । ଏହା ଦ୍ୱାରା ସମ୍ପୃକ୍ତ ଚାଷୀ ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
ପ୍ରଧାନମନ୍ତ୍ରୀ ଆମ ଧର୍ମପୁସ୍ତକ ଓ ଲୋକ ସଂସ୍କୃତିରେ ରହିଥିବା ପ୍ରାକୃତିକ କୃଷିଜ୍ଞାନ ବିଷୟରେ ସ୍ମରଣ କରି କହିଛନ୍ତି ଯେ ଏନ୍‌ଜିଓ ଓ ବିଶେଷଜ୍ଞମାନେ ଏହା ଉପରେ ଗବେଷଣା କରିବାକୁ ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଆଧୁନିକ କାଳରେ ଚାହିଦା ଦୃଷ୍ଟିରୁ ଏହି ପ୍ରାଚୀନ କୃଷି ପଦ୍ଧତି ଓ ଜ୍ଞାନକୁ କିପରି କାମରେ ଲଗାଇ ହେବ ତା’ ଉପରେ ଗବେଷକମାନେ କାମ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ୭୫ଜଣ ଚାଷୀ ପ୍ରାକୃତିକ ଚାଷ ସହ ଯୋଡି ହେବାର ଯେଉଁ ଅୟମାରମ୍ଭ ହୋଇଛି ଏହା ଖୁବ୍ ଶୀଘ୍ର ବହୁଗୁଣିତ ହେବ । ଏହା ସହିତ ରାସାୟନିକ ସାମଗ୍ରୀ ମୁକ୍ତ ଏହି ପ୍ରାକୃତିକ କୃଷି ଉତ୍ପାଦର ଚାହିଦା ମଧ୍ୟ ବଢିବ ।
ଆଜାଦି କି ଅମୃତ ମହୋତ୍ସବର ଅଂଶସ୍ୱରୂପ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୨୨ମାର୍ଚ୍ଚ ମାସରେ ଗୁଜରାଟ ପଞ୍ଚାୟତ ମହାସମ୍ମିଳନୀକୁ ଉଦ୍‌ବୋଧନ ଦେବା ଅବସରରେ ପ୍ରତି ଗ୍ରାମରେ ଅତି କମ୍‌ରେ ୭୫ଜଣ ଚାଷୀ ପ୍ରାକୃତିକ କୃଷି ଆରମ୍ଭ କରିବାକୁ ଆହ୍ୱାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ସୁରତ ଜିଲ୍ଲା କର୍ତ୍ତୃପକ୍ଷ ଏ ଦିଗରେ କାମ ଆରମ୍ଭ କରିଥିଲେ । ଏଥିରେ ସବୁ ପଞ୍ଚାୟତ ଓ ଗାଁର ଚାଷୀ, ଚାଷୀଗୋଷ୍ଠୀ, ନିର୍ବାଚିତ ପ୍ରତିନିଧି, କୃଷି ଉତ୍ପାଦକ ବିପଣନ କମିଟି, ସମବାୟ ବ୍ୟାଙ୍କର ପ୍ରତିନିଧି ଓ ଅନ୍ୟାନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସାମିଲ କରାଯାଇ ଯୋଜନା ମୁତାବକ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ଚାଷୀଙ୍କୁ ପ୍ରାକୃତିକ ଚାଷ ଆରମ୍ଭ କରିବାକୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ ପ୍ରତ୍ୟେକ ପଞ୍ଚାୟତରୁ ୭୫ଜଣ ଚାଷୀଙ୍କୁ ବାଛି ପ୍ରାକୃତିକ କୃଷିରେ ନିୟୋଜିତ କରାଯାଇଛି । ସେମାନଙ୍କୁ ଏଥିପାଇଁ ଆବଶ୍ୟକ ତାଲିମ ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ବିଭିନ୍ନ ୯୦ଟି କ୍ଲଷ୍ଟରରେ ଏହି ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହାଫଳରେ ସୁରତ ଜିଲ୍ଲାରେ ୪୧ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ପଦ୍ଧତି ସମ୍ପର୍କରେ ତାଲିମ ନେଇ ଚାଷ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.