jayashree

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ସୁନାବେଶ ରବିବାର ଦିନ ସ୍ଥାନୀୟ ଟିକ୍ରାପଡାଠାରେ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ ବଡ ଏକାଦଶୀ ଦିନ ଅନୁଷ୍ଠିତ ହୋଇଥିବା ଏହି ବେଶକୁ ରାଜ ରାଜେଶ୍ୱର ବେଶ ମଧ୍ୟ କୁହାଯାଏ । ଏହି ଜାତିର ଅଧିଶ୍ୱର ଭାବରେ ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବେ ଶ୍ରୀଜୀଉ ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ବେଶ ହେଉଛି ଏକ ବିଶେଷ ମାନସିକତା, ଭାବାବସ୍ଥା ତଥା ପ୍ରକୃତିର ପ୍ରତିଫଳନ । ଶ୍ରୀ ଜଗନ୍ନାଥଙ୍କର ୨୪ଟି ବେଶ ମଧ୍ୟରୁ ସର୍ବଶ୍ରେଷ୍ଠ ଏହି ସୁନାବେଶର ମହାତ୍ମ୍ୟ ଗାନ କରିବା ଅସମ୍ଭବ । ତେବେ ଏହି ବେଶରେ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ତୀର୍ଥ ପୁନ୍ୟଫଳ ମିଳିବା ସହିତ ସମସ୍ତ ପାତକ ନାଶ ଯାଇ ମୋକ୍ଷ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ, ଦର୍ଶକମାନେ ସନ୍ଧ୍ୟା ଘ.୪ଟା ପରେ ଚାନ୍ଦ ମନ୍ଦିରକୁ ଯାଇ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କ ସୁବାବେଶ ଦର୍ଶନ କରି ଅପାର ଆନନ୍ଦ ଲାଭ କରିଥିଲେ । ସୁନାବେଶ ଉପଲକ୍ଷେ ଚାନ୍ଦ ମନ୍ଦିର ରଥ କମିଟି ପକ୍ଷରୁ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ଭଜନ କାର୍ଯ୍ୟକ୍ରମ ସମାବେଶ ଭକ୍ତିପ୍ରାଣ ଦର୍ଶକ ମଣ୍ଡଳୀକୁ ସେଠାରେ ବାନ୍ଧି ରଖିବାରେ ବିଶେଷ ସହାୟକ ହୋଇ ପରିବେଶକୁ ଆହୁରି ମନ୍ତ୍ରମୁଗ୍ଧ କରିଦେଇଥିଲା । ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ନୂଆପଡାର ବରିଷ୍ଠ ତଥା ପ୍ରତିଷ୍ଠାତା ଧନେଶ୍ୱର ଦାସ ନିର୍ଦ୍ଦେଶନାରେ କଳାକାରମାନେ ମହାପ୍ରଭୁ ଜଗନ୍ନାଥଙ୍କର ଭଜନ ପରିବେଷଣ କରିଥିଲେ । ମହାପ୍ରଭୁଙ୍କୁ ସୁନାବେଶରେ ସଜାଇ ଥିଲେ ନିମାଇ ଚରଣ ହାତୀ, ସତ୍ୟନାରାୟଣ ଶତପଥୀ, ଦ୍ୱିଜରାମ ମିଶ୍ର । ପରିଶେଷରେ ରଥ କମିଟି ସଭାପତି ପ୍ରଦୀପ ନନ୍ଦ ସମବେତ ଭକ୍ତ ବ୍ରଜ ତ୍ରିପାଠୀ, କୃଷ୍ଣ ରଥ, ରଞ୍ଜିତ ପଣ୍ଡା, ଅଶୋକ ଚାନ୍ଦ, ମହେନ୍ଦ୍ର ବାଗ, ପଦ୍ମଲୋଚନ ଯୋଷୀ, ସୁଧିର ଚାନ୍ଦ, ରାଜ କୁମାର ମିଶ୍ର, ଅନିଲ ଠାକୁର, ଅଶୋକ ଚାନ୍ଦ, ଛାୟାକାନ୍ତ ସାହୁ, ରାଜିବ ମିଶ୍ର, ସୁଧିର ତ୍ରିପାଠି, ଜଗନ୍ନାଥ ମନ୍ଦିରର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ତଥା ରାମ ମନ୍ଦିର ପୂଜା କମିଟିର କର୍ମକର୍ତ୍ତାଙ୍କ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.