
ବଲାଙ୍ଗିର ବନ ବିଭାଗରେ ଦୁଇ ଜଣ ଡିଏଫଓ : ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜଣେ ଯାଇ ନାହାନ୍ତି କାହିଁକି, ସାଧାରଣରେ ଆଲୋଚନା

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ବନ ବିଭାଗରେ ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜନୈକ ବରିଷ୍ଠ ଅଧିକାରୀ ବଲାଙ୍ଗିର ଛାଡୁ ନଥିବା ବେଳେ ବର୍ତ୍ତମାନ ଜିଲାରେ ଦୁଇ ଜଣ ଡିଏଫ୍ଓ ରହିଥିବା ଜଣାପଡିଛି । ଏହା ଫଳରେ ବିଭାଗରେ ଅସନ୍ତୋଷ ଘନାଉଥିବା ଜଣାଯାଇଛି । ସୂଚନା ମତେ, ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପତ୍ର ସଂଖ୍ୟା- ୮୯୧୫/ତା. ୧୩.୦୫.୨୨ ଅନୁଯାୟୀ ବଲାଙ୍ଗିର ଏସିଏଫ୍ ବାବାଜୀ ଚରଣ ରାଉଳ ଡିଏଫ୍ଓ ଭାବେ ପଦୋନ୍ନତି ପାଇ ସାରିଛନ୍ତି । କିନ୍ତୁ ଆଜକୁ ଦୀର୍ଘ ଦୁଇ ମାସ ପାଖାପାଖି ହେବ ସେ ଜିଲ୍ଲା ମୁଖ୍ୟାଳୟ ଛାଡୁ ନ ଥିବା ଆଲୋଚନା ହେଉଛି । ଏପରିକି ଶ୍ରୀ ରାଉଳ ଦୀର୍ଘ ୨୦ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ଆସିଥିବା ବେଳେ ଅନେକ ଅନିୟମିତତାରେ ସେ ଜଡିତ ଥିବା ବି ଆଲୋଚନା ହେଉଛି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟରେ ଅନେକ ଡିଭିଜନ ଡିଏଫ୍ଓ ଶୂନ୍ୟ ହୋଇପଡ଼ି ରହିଥିବା ବେଳେ ବଲାଙ୍ଗିରରେ ଦୁଇ ଜଣ ଡିଏଫ୍ଓ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ରହିଛନ୍ତି ?
