ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପଡ଼ି ରହିଥିବା ଟିଏମ୍‌ଟି ମେସିନ କାର୍ଯ୍ୟକ୍ଷମ ନେଇ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହପିଟାଲରେ ୨୦୧୮ରୁ କିଣାଯାଇ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନଥିବା ‘ଟ୍ରେଡମିଲ ଟେଷ୍ଟ ମେସିନ’ ଯୋଗୁଁ ବାହାରୁ ରୋଗୀମାନେ ଅଧିକ ଖର୍ଚ୍ଚ କରି ଏହି ଟେଷ୍ଟ କରୁଥିବାରୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୂର୍ବରୁ ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ୨୦୦୩ରୁ ଦିଆଯାଇଥିବା ମେସିନ ୧୭ ବର୍ଷ ପଡ଼ି ରହିବା ପରେ ଶେଷରେ ଫିଙ୍ଗି ଦିଆଯାଇଥିଲା । ହୃଦ୍‌ରୋଗୀମାନଙ୍କ ପାଇଁ ଆବଶ୍ୟକ ଥିବା ଏହି ମେସିନ କାହିଁକି କାମରେ ଲାଗୁନାହିଁ, ସେ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାକୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କାର୍ଯ୍ୟକାରୀ ବୈଠକରେ ନିଷ୍ପତି ନିଆଯାଇଛି । ଆଜି ଅପରାହ୍ନ ୪ ଘଣ୍ଟାରେ ସଂସ୍କୃତି ଭବନଠାରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ସଂଗଠନର ସମ୍ପାଦକ ଅଶୋକ କୁମାର ମିଶ୍ର ତାଙ୍କ ପଦବୀରେ ରହିବା ପାଇଁ ସମୟ ଦେଇ ପାରୁନଥିବା ଯୋଗୁ ଇସ୍ତାଫା ଦେଇଥିଲେ । ଇସ୍ତାଫାକୁ ଗୃହୀତ କରାଯାଇ ସଂଗଠନ ମନ୍ତ୍ରୀ ଥିବା ଅଶୋକ କୁମାର ମିଶ୍ରଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ ଦିଆଯାଇଥିଲା । ଗ୍ରାହକ ପଞ୍ଚାୟତର ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦୁଇଟି ସଚେତନତା ସଭା, ପାଟଣାଗଡ ଓ ଟିଟଲାଗଡରେ ଗୋଟିଏ ଲେଖାଏଁ ଗ୍ରାହକ ସଚେତନତା ଶିବିର ଓ ସଭ୍ୟମାନଙ୍କ ପାଇ ପ୍ରଶିକ୍ଷଣ ଶିବିର କରାଯିବାକୁ ନିଷ୍ପତି ନିଆଯାଇଛି । ଆଗାମୀ ଜୁଲାଇ ୧୭ ତାରିଖ ଦିନ ସମ୍ବଲପୁର ଠାରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ବୈଠକରେ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ବର୍ମା, ଉପ ସଭାପତି ମହେଶ୍ୱର ସାହୁ, ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ, ବିଶ୍ଵନାଥ ତ୍ରିପାଠୀ, ଜୟ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଶାନ୍ତିପାଠ ପରେ ବୈଠକ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.