jayashree

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଉପଜିଲାପାଳ ଭବତାରଣ ସାହୁ ଏବଂ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରଥ ଗଡ଼ୁଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଭିତର କର୍ଡନରେ କେହି ରହିବେ ନାହିଁ । ଜଗାବଳିଆ ଲଜ୍‌ ଓ ପୁରୁଣା ସୂଚନା କେନ୍ଦ୍ର ସମେତ ଅନ୍ୟ ଏକ ରାସ୍ତା ଦେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରସାରଣ ଉପରେ କଟକଣା ରହିବ ନାହିଁ । ଘରୋଇ କୋଠାଗୁଡ଼ିକ ଉପରୁ ପ୍ରସାରଣ କରାଯାଇପାରିବ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କର କୌଣସି ସମସ୍ୟା ହେଲେ କିମ୍ବା ସୁରକ୍ଷାକର୍ମୀ ଅଟକାଇଲେ ତୁରନ୍ତ ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବେ ।

ସ୍ଥାନୀୟ ପୋଲିସ ସମ୍ବେଦନଶୀଳ ସ୍ଥାନରେ ମୁତୟନ ରହିବ । ଗଣମାଧ୍ୟମ ପ୍ରତିିନିଧିମାନଙ୍କ ସହ ଯୋଗାଯୋଗ ଓ ସମନ୍ବୟ ରଖି ପୋଲିସ କାର୍ଯ୍ୟ କରିବ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପାସ୍‌ ଇସ୍ୟୁ କରାଯିବ । ତଦନୁଯାୟୀ ଅନୁମତି ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ଯାଇପାରିବେ । ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନକୁ ରଥଯାତ୍ରା ପରିଚାଳନାରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

Leave A Reply

Your email address will not be published.