ପୁଡାପଦର ଗାଁରେ ଖାଲି ଥିବା ଅଙ୍ଗନୱାଡ଼ି ପଦବୀ ପୂରଣ ପାଇଁ ଅନ୍ୟ ଗ୍ରାମର ପ୍ରାର୍ଥିନୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ
- ନିଜ ଗାଁର ଆଶାୟୀ ପ୍ରାର୍ଥିନୀ ନିଯୁକ୍ତି ଦେବାକୁ ସିଡିପିଓଙ୍କୁ ଦାବୀପତ୍ର ପ୍ରଦାନ
ପାଟଣାଗଡ଼, (ଗୋରେଖନାଥ ବରିହା) : ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ଖାଲିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ଅନୁଯାୟୀ ଯେଉଁ ଗାଁର ତଥା ୱାଡ଼ ଅନ୍ତର୍ଭୁକ୍ତ ସେହି ଗାଁର ଏବଂ ୱାଡ଼ର ଆଶାୟୀ ପ୍ରାର୍ଥୀ ଆବେଦନ କରିବା ସହ ଯୋଗ୍ୟତା ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାର ନିୟମ ରହିଥିବା ବେଳେ ଉକ୍ତ କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତର ପୁଡାପଦର ଗାଁରେ ଅଙ୍ଗନୱାଡ଼ି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ଅନୁଯାୟୀ କେତେଜଣ ଗାଁର ଆଶାୟୀ ପ୍ରାର୍ଥିନୀ ଆବେଦନ କରିଥିଲେ । ହେଲେ ଗାଁର ଆଶାୟୀ ପ୍ରାର୍ଥିନୀଙ୍କୁ ନିଯୁକ୍ତି ନଦେଇ ଅନ୍ୟ ଗ୍ରାମର ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଉଥିବା ଗାଁର ଆଶାୟୀ ପ୍ରାର୍ଥିନୀ ବର୍ଷା ରାଣୀ ପଣ୍ଡା, ରୀତା ବାଗ, ପଦ୍ମିନୀ ସାହୁ ଓ ସୀମା ନନ୍ଦ ପ୍ରମୁଖ ପାଟଣାଗଡ଼ ଉପଜିଲ୍ଲାପାଳ ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନାନୁସାରେ ପୁଡାପଦର ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ହୋଇଥିବା ବେଳେ ପାଟଣାଗଡ଼ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ) ଅନୁପମା ପଣ୍ଡା ଅନ୍ୟ ଗାଁର ଜଣକୁ ଭିତିରିଆ ଅନୁଗ୍ରହ ପ୍ରଦର୍ଶନ କରି ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ଦେବା ପାଇଁ ଯୋଜନା କରୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ସେଣ୍ଟର ଥିବା ଗାଁ ଓ ପଡ଼ାରୁ ପୂର୍ବରୁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥିନୀଙ୍କ ମଧ୍ୟରୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜଣକୁ ନିଯୁକ୍ତି ଦେବା ପରିବର୍ତ୍ତେ କେଉଁ ଆଧାରରେ ଅଲଗା ଗାଁରୁ ନିଯୁକ୍ତି ଦେବେ ବୋଲି ପ୍ରଶ୍ନ କରିଛନ୍ତି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେଣ୍ଟର ଥିବା ପୁଡାପଦର ଗାଁର ଆଶାୟୀ ପ୍ରାର୍ଥିନୀ ଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅଙ୍ଗନୱାଡ଼ି କର୍ମୀ ଭାବେ ନିଯୁକ୍ତି ଦେବାକୁ ଆଶାୟୀ ପ୍ରାର୍ଥିନୀ ବର୍ଷା ରାଣୀ ପଣ୍ଡା ରୀତା ବାଗ ପଦ୍ମିନୀ ସାହୁ ଓ ସୀମା ନନ୍ଦ ପ୍ରମୁଖ ଦାବୀ କରିଛନ୍ତି ।