ବ୍ୟବସାୟୀଙ୍କୁ ଅପହରଣ କରିବା ଘଟଣାରେ ୨ ଗିରଫ : ମୁଖ୍ୟ ଅଭିଯୁକ୍ତ ଫେରାର

କୋରାପୁଟ : ବ୍ୟବସାୟୀଙ୍କୁ ଅପହରଣ କରିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ଥିବା ସୂଚନା ରହିଛି । ଗିରଫ ୨ ଯୁବକ ବିମଳ ଓ ସରୋଜ ବୋଲି ଜଣାପଡିଛି । ସୂଚନା ଅନୁସାରେ ମହାରାଷ୍ଟ୍ରରୁ ବ୍ୟବସାୟ କରିବା ନେଇ କୋରାପୁଟ ଆସିଥିଲେ ଗୋଟିଏ ପରିବାରର ୭ଜଣ । ଏକ ନିର୍ଦ୍ଦିଷ୍ଟ ହୋଟେଲରେ ରହି ବ୍ୟବସାୟ କରୁଛନ୍ତି । ଏହାରି ଭିତରେ ସ୍ଥାନୀୟ ଏକ ଯୁବକଙ୍କ ସହ ବଢିଥିଲା ଘନିଷ୍ଠତା । ହେଲେ ବିଶ୍ଵାସରେ ବିଷ ଦେଲେ ଏହି ଯୁବକ । ବ୍ୟବସାୟୀ ମହମ୍ମଦ ଇମଦାନଙ୍କୁ ସହର ବୁଲାଇବାକୁ କହି ଏକ ନିଛାଟିଆ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ । ଇମଦାନଙ୍କୁ ଛାଡିବା ପାଇଁ ଦେଢ ଲକ୍ଷ ଟଙ୍କା ଦାବୀ କରିଥିଲେ ।

ଇମଦାନଙ୍କ ଭାଇ ତୁରନ୍ତ ତାଙ୍କୁ ମୁକୁଳେଇବା ପାଇଁ ଅନଲାଇନ ଜରିଆରେ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ସମ୍ପୃକ୍ତ ଯୁବକ ସେଠାରୁ ଚମ୍ପଟ ମାରିବା ସହ ଅନ୍ୟ ଦୁଇ ସହଯୋଗୀ ବିମଳ ଓ ସରୋଜଙ୍କ ଜିମାରେ ଛାଡିଥିଲେ । ବିଳମ୍ବିତ ରାତିରେ ଇମଦାନଙ୍କୁ କୋରାପୁଟ ବସଷ୍ଟାଣ୍ଡରେ ଛାଡ଼ିବାକୁ ସେ କହିଥିଲେ । ସରୋଜ ଓ ବିମଳ ଏକ ମଟରସାଇକେଲ ଯୋଗେ ଇମଦାନଙ୍କୁ ବସଷ୍ଟାଣ୍ଡରେ ଛାଡି ପଳେଇବା ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କଲା ବେଳେ ସମସ୍ତ ଘଟଣା ଜଣାପଡିଥିଲା । ଇମଦାନଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ବିମଲ ଓ ସରୋଜକୁ ଗିରଫ କରିଛି । ମାମଲାର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.