jayashree

ବିଶ୍ଵ ପରିବେଶ ଦିବସର ମହତ୍ତ୍ଵକୁ ବୁଝିଥିବା ଗାଁ ନାଗଫେଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଯୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ ଘେରା ଏକ ଆଦିବାସୀ ବହୁଳ, ୨ଶହ ପରିବାର ବିଶିଷ୍ଟ ଗାଁ ନାଗଫେଣା ଗ୍ରାମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୋଜରାଜ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ଵପରିବେଶ ଦିବସରେ ଆଲୋଚନା କରାଯାଇଥିଲା । ପୁରୁଷାନୁକ୍ରମେ ଆଜକୁ ୪ ଦଶନ୍ଧିର ଅଧିକ ହେଲା ଗାଁ ନିକଟସ୍ଥ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲର ନାଗଫେଣା ଡୁଙ୍ଗୁରି ଯାହାରକି ହାରାହାରି ଆୟତନ ୨ ଶହ ଏକରରୁ ଅଧିକ ହେବ ଭୋଜରାଜ ସିଂ ମାଝୀଙ୍କ ନେତୃତ୍ୱରେ ରକ୍ଷଣାବେକ୍ଷଣ କରି ଆସୁଛନ୍ତି । ଏହି ସମାବେଶ ପାଇଁ ଗ୍ରାମର ସମସ୍ତ ପରିବାର କାଠ, ଡାଲି, ଚାଉଳ, ପନିପରିବା ଏବଂ ଆବଶ୍ୟକ ଅର୍ଥ ରାଶି ସଂଗ୍ରହ କରି ପାଖ ପଡୋଶୀ ୨୦ ଗୋଟି ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ, ଓ୍ଵାଡମେମ୍ବର, ଜଙ୍ଗଲ ସୁରକ୍ଷା କମିଟି ଏବଂ ଜଙ୍ଗଲ ଅଧିକାର କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ମହାସମାରୋହରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଗ୍ରାମ ଉନ୍ନୟନ, ଭୋଜରାଜ ସିଂ ଯୁବକ ସଂଘ ନାଗଫେଣା ଏବଂ ଜିଲ୍ଲା ଜଙ୍ଗଲ ସୁରକ୍ଷା ପରିଚାଳନା ଫୋରମ୍ ବଲାଙ୍ଗିରର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମାବେଶରେ ଯୁବା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଷମା ସେଠ ଅଧ୍ୟକ୍ଷତା କରିଥିଲେ । ଏଇ ଅବସରରେ ଜିଲ୍ଲା ଜଙ୍ଗଲ ସୁରକ୍ଷା ପରିଚାଳନା ଫୋରମ୍‌ର ଆବାହକ କୁଳମଣି ସାହୁ, ସମାଜ ସେବୀ ରଘୁନାଥ ରଣା, ମଙ୍ଗଳୁ ଭୋଇ, ସମିତି ସଭ୍ୟା, ଶ୍ରୀମତି ବାସନ୍ତୀ ବେନିଆ, ପୂର୍ବତନ ସରପଞ୍ଚ ଶ୍ରୀମତୀ ଆଲତୀ ମେହେର ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୋଜରାଜ ସିଂ ମାଝୀ ପରିଚାଳନା କରିଥିବା ବେଳେ ସୁଦର୍ଶନ ବରିହା, ସୁବା ବରିହା, ଘନ ବରିହା, ଶିବ ମେହେର ଆଦି ସହଯୋଗ କରିଥିଲେ । ପରିଶେଷରେ ବିଶ୍ଵନାଥ ସୁନା ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.