ମଡେଲ ଗଞ୍ଜାମ ପରିଦର୍ଶନ କରି ଖୁସିବ୍ୟକ୍ତ କଲେ ୩୮ଜଣ ପ୍ରବେସନାରୀ ଆଇଏଏସ୍‌ ଅଧିକାରୀ

• ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସେସ୍ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍‌ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ଉନ୍ନତି କଳ୍ପେ କରାଯାଉଥିବା ବିଭିନ୍ନ ଯୋଜନା, ଉନ୍ନୟନ ମଡେଲ ପ୍ଲାନ ସମ୍ପର୍କରେ ଅବଗତ ହୋଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଥିବା ସମସ୍ତ ୩୮ ଜଣ ଆଇଏ.ଏସ୍‌. ଏବଂ ଅନ୍ୟ ପ୍ରମୁଖ ଅଧିକାରୀଙ୍କୁ ଛତ୍ରପୁର ମହକୁମାଠାରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ମସୌରୀଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍‌ରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଆସିଛନ୍ତି । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ୱାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ଭାବରେ ଏକ ଅଧ୍ୟୟନ ମାଧ୍ୟମ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସହ ସମସ୍ତ ଅଧିକାରୀମାନଙ୍କୁ ଗଞ୍ଜାମ ଜିଲ୍ଲାରେ ଉନ୍ନୟନ ପ୍ରକଳ୍ପର ମଡେଲ ବିଷୟରେ ଆଲୋକପାତ କରାଯାଇଛି । କାର୍ଯ୍ୟରତ କୃଷି ବିଭାଗ, ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା, ଗ୍ରାମ୍ୟ ପରିମଳ, ଜୀବନ ଜୀବୀକା ମିଶନ୍, ଅମୃତ ସରୋବର ଯୋଜନା, ଗ୍ରାମ ପଞ୍ଚାୟତ ପାର୍କ, ପୋଖରୀ, ପର୍ଯ୍ୟଟନ ସ୍ଥଳୀ ଏବଂ ଅନ୍ୟାନ୍ୟ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାବେହ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ୫-ଟି ର କାର୍ଯ୍ୟକାରୀତା, ଜିଲ୍ଲାର ନିଜସ୍ୱ ପଦକ୍ଷେପ କାର୍ଯ୍ୟକ୍ରମ ମୋ ଗେହ୍ଲା ଝିଅ, ନିର୍ଭୟ କଢି, ସ୍ୱୟଂ ସିଦ୍ଧା, ପର୍ଯ୍ୟଟନ ସ୍ଥଳର ବିକାଶ ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ୱର ବଳୀରାମ ବୋନ୍ଦାର ବ୍ରହ୍ମପୁର ସହରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିଓ୍ବାସନ୍ ରାଜସ୍ୱ ଅନ୍ତର୍ଗତ ମୋ ଗାଁରେ ତହସିଲ, ରାଜସ୍ୱ ରଥ ଇତ୍ୟାଦିର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇ ଓଡିଶା ଭଳି ପ୍ରକୃତିକ ବିପର୍ଯ୍ୟୟ ରାଜ୍ୟର ବିକାଶ ନିମନ୍ତେ କିଭଳି ଯୋଜନା କାର୍ଯ୍ୟକାରୀ ହେବ ତା’ ସହିତ ବିପର୍ଯ୍ୟୟ ସତ୍ତ୍ବେ ଏହାର ମୁକାବିଲା କରି ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ । ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ରୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ବେଳେ ଓଡିଶା ପ୍ରଶାସନର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଶାସନିକ ଅଧିକାରୀଗଣଙ୍କ ଦ୍ବାରା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଜିଲ୍ଲାପାଳଙ୍କୁ ଏକ ମେମୋଣ୍ଟମ୍ ପ୍ରଦାନ କରିଥିଲେ ।ସମସ୍ତ ଅଧିକାରୀଗଣ ବ୍ରହ୍ମପୁର ସ୍ଥିତ ସ୍ପୋର୍ଟସ୍ ଏରେନା, ରାମ ଲିଙ୍ଗେଶ୍ବର ପାର୍କ, ମିଶନ୍ ଶକ୍ତି ଡାଇରୀ ପ୍ରୋଜେକ୍ଟ, ତାମ୍ପରା, ମା ତାରାତାରିଣୀ ମନ୍ଦିର, ଜଉଗଡ, କାଳେଶ୍ୱର ପାର୍କ, ମଡେଲ ଭିଲେଜ, ମଡେଲ ଅଙ୍ଗନୱାଡି କେନ୍ଦ୍ର, ଭିଲେଜ ଗାର୍ଡେନ୍ ପ୍ରଭୃତି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରିଦର୍ଶନର ସମସ୍ତ ଦାୟୀତ୍ୱ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟଙ୍କ ନେତୃତ୍ବରେ ଏହା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.