ମହାନଦୀ ଜଳ ବିବାଦରେ ପ୍ରତିକ୍ରିୟା ରଖିଲେ ନରସିଂହ

  • ଉଭୟ ବିଜେଡି ଓ ବିଜେପିର ଷଡଯନ୍ତ୍ର ପାଇଁ ଓଡିଶାରେ ମହାନଦୀ ଶୁଖି ଯାଉଛି, କଂଗ୍ରେସ ନୁହେଁ ମହାନଦୀ ପାଇଁ ବିଜେପି କାନ୍ଦୁଛି କୁମ୍ଭୀର କାନ୍ଦଣା : ନରସିଂହ
  • ମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନଦୀ ଜଳ ବିବାଦରେ ପ୍ରତିକ୍ରିୟା ରଖିଲେ ବିଧାୟକ ନରସିଂହ ମିଶ୍ର । ସେ ନିଜ ପ୍ରତିକ୍ରିୟାରେ କହିଲେ ଯେ, ଓଡିଶାରେ ଜୀବନ ରେଖା କୁହାଯାଉଥିବା ମହାନଦୀ ଦିନକୁ ଦିନ ଶୁଖି ଯାଉଥିବା ଦେଖାଯାଉଛି । କିନ୍ତୁ ଦୁଃଖର ବିଷୟ ଯେ, ଓଡିଶା ସରକାର ଏହି ସମସ୍ୟାର ସମାଧାନ ପ୍ରତି କୌଣସି ଆନ୍ତରିକତା ଦେଖାଉ ନାହାନ୍ତି । ଏବେ ଦେଖା ଯାଉଛି ଯେ, ଛତିଶଗଡର ଗତ ବିଜେପି ସରକାର ରାଜ୍ୟରେ ଅନେକ ବ୍ୟାରେଜ ନିର୍ମାଣ କରି ସେଠାରେ ସମ୍ପୂର୍ଣ୍ଣ ଭାବେ ବାନ୍ଧି ଦେଇଛି । ଓଲଟା ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାର ରାଜନୈତିକରଣ କରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟମାନଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆକ୍ଷେପ କରୁଛନ୍ତି । କିନ୍ତୁ ଯେତେବେଳେ ମହାନଦୀ ଜଳ ବିବାଦକୁ ନେଇ ବାଚସ୍ପତିଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ଅନୁରୋଧ କରାଯାଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଥିଲେ । ଏଥିରୁ ଲୋକେ ବୁଝି ଯିବା ଦରକାର ଯେ, କୁମ୍ଭୀର କାନ୍ଦଣା କଂଗ୍ରେସ କରୁଛି ନା ବିଜେପି ଏହି ସମସ୍ୟାକୁ ନେଇ କେବଳ ନିର୍ବାଚନୀ ରାଜନୀତି କରୁଛି । ପ୍ରକୃତରେ ମହାନଦୀ ସମସ୍ୟାକୁ ନେଇ କେବଳ ବିଜେପି ନୁହେଁ ତା ସହ ବିଜେଡି ମଧ୍ୟ ହାତ ମିଳାଇ ହୀନ ରାଜନୀତି କରୁଛି । ଆହୁରି ଓଡିଶାରେ ମହାନଦୀକୁ ଶୁଖାଇ ଦେବା ପାଇଁ ଷଡଯନ୍ତ୍ର କରୁଛି ବୋଲି ସ୍ଥାନୀୟ ସାର୍କିଟ ହାଉସଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ନିଜ ପ୍ରତିକ୍ରୀୟାରେ ଆହୁରି କହିଛନ୍ତି ଯେ, ମହାନଦୀ ଜଳ ସମସ୍ୟାକୁ ନେଇ କଂଗ୍ରେସ ଦଳ ପ୍ରଥମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମାଧାନ ପାଇଁ ବାରମ୍ବାର ଚିଠି ଦେବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ଯୋଗୁଁ ବିରୋଧି ଦଳ ନେତା ଭାବେ ମୁଁ ଏହି ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳିୟ ବୈଠକର ଆହ୍ୱାନ ଦେଇଥିଲି । ଉକ୍ତ ବୈଠକରେ ବିଜେଡି, ବିଜେପି ସହ ଗୋଟି ରାଜନୈତିକ ଦଳ, ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ଏନ୍‌ଜିଓ ମାନେ ମଧ୍ୟ ଭାଗ ନେଇ ଏକତାର ସହ ଏହି ବିବାଦର ସମାଧାନ ପାଇଁ କାମ କରିବା ନେଇ ପ୍ରତିଶୃତି ଦେଇଥିଲେ । ପରବର୍ତ୍ତି ସମୟରେ ଏହାକୁ ନେଇ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୁଇ ଦୁଇଟି କମିଟି ଗଠନ କରଯାଇଥିଲା । କିନ୍ତୁ ଦିନ ପରେ ଦିନ ଗଡିବା ପରେ ମଧ୍ୟ କୌଣସି ବୈଠକ ଡକାଗଲା ନାହିଁ । ଓଡିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଧ୍ୟ ହୋଇ କଂଗ୍ରେସର ଏକ ପ୍ରତିନିଧି ଦଳ ଛତିଶଗଡ ଯାଇ ପହଞ୍ଚିଥିଲା । କିନ୍ତୁ, ତତ୍‌କାଳୀନ ଛତିଶଗଡ ସରକାର ଶିଳ୍ପପତିଙ୍କ ଖର୍ଚ୍ଚରେ କେବଳ ଶିଳ୍ପପତିଙ୍କ ଉଦ୍ଦେଶ୍ୟରେ କେଲୋ ନଦୀ ଉପରେ ୭ଟି ବ୍ୟାରେଜ ନିର୍ମାଣ କରି ଜଳରାଶିକୁ ବାନ୍ଧି ଦେଇଥିବା ଦେଖିବାକୁ ପାଇଥିଲା । ସେହି ଶିଳ୍ପପତିମାନଙ୍କ ବହୁ କୋଟି ଟଙ୍କାର ବ୍ୟବସାୟ ତଥା ସଂପର୍କ ଓଡିଶା ସରକାରଙ୍କ ସହ ଥିବା ଯୋଗୁଁ ଓଡିଶା ସରକାର ସେହି ପୁଞ୍ଜିପତି ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡିଆଙ୍କ ଜୀବନ ରେଖା ମହାନଦୀ ଯାହାର ପାଣିକୁ ନେଇ କୋଟି କୋଟି ଓଡିଶାବାସୀ ପେଟ ପାଟଣା କରନ୍ତି ତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିଲେ । ଆହୁରି ମଧ୍ୟ ବିଧାୟକ ଶ୍ରୀ ମିଶ୍ର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୋଲା ଆହ୍ୱାନ କରିଛନ୍ତି ଯେ, ବର୍ତ୍ତମାନ ମଧ୍ୟ ସମୟ ଅଛି ମହାନଦୀ ଜଳ ସଂକଟକୁ ନେଇ କେନ୍ଦ୍ର ସରକାର, ଛତିଶଗଡ ସରକାର ଏବଂ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ବିଶ୍ୱାସକୁ ନେଇ ଆଲୋଚନା ବାଟ ଫିଟାନ୍ତୁ । ହୁଏତ କୋଟି କୋଟି ଓଡିଶାବାସୀଙ୍କ ଜଳ କଷ୍ଟ ଦୂର ହୋଇ ପାରିବ ନଚେତ ଆଗାମୀ ଦିନରେ ମହାନଦୀ ସଂପୂର୍ଣ୍ଣ ଭାବେ ଶୁଷ୍କ ହୋଇ ମରିଯିବ ଏବଂ ଏଥିପାଇଁ ଓଡିଶାବାସୀ ସମ୍ପୂର୍ଣ୍ଣ ଭାବେ ରାଜ୍ୟସରକାରଙ୍କ ଷଡଯନ୍ତ୍ରକାରୀ ଆକ୍ଷା ଦେବେ ।

Leave A Reply

Your email address will not be published.