ବୃହତ୍ତର ଓ ସଂଯୁକ୍ତ କୋସଲ ଆନ୍ଦୋଳନ ପାଇଁ ପ୍ରସ୍ତୁତି ୧୮ରେ : ବରଗଡ ଠାରେ ମନ୍ଥନ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ଆନ୍ଦୋଳନ କେବଳ ଏକ ରାଜନୈତିକ ଆନ୍ଦୋଳନ ନୁହେଁ । ଏହା ଏହି ଅଂଚଳବାସୀଙ୍କ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ଶୋଷଣ, ଉତ୍‌ପୀଡନ ଓ କ୍ରାନ୍ତି ଗାଥାର ପ୍ରତୀକ । କିନ୍ତୁ ବିଗତ ଦୁଇ ବର୍ଷରେ କରୋନା ମହାମାରୀ ଓ ଅଞ୍ଚଳର ଅସମ୍ବେଦନଶୀଳ ନେତାମାନଙ୍କ ଆତ୍ମଘାତି କାର୍ଯ୍ୟକଳାପ ଦ୍ୱାରା ଅଞ୍ଚଳର ଏକ ମାତ୍ର ମୁକ୍ତି ସୁତ୍ର କୋସଲ ଆନ୍ଦୋଳନ ଧିମେଇ ଯାଇଛି । ମା’, ମାଟିର ଡାକରା କ୍ରମେ ଆନ୍ଦୋଳନକୁ ପୁନଃସଂଗଠିତ କରି ଏକ ବୃହତ୍ତର ଓ ସଂଯୁକ୍ତ ଆନ୍ଦୋଳନର ରୂପ ଦେବା ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି ସ୍ଥିର କରିଛି । ଆନ୍ଦୋଳନକୁ ଅଂଚଳରେ ଏକ ସଂପୂର୍ଣ୍ଣ, ସର୍ବବ୍ୟାପୀ ଓ ତୀବ୍ର ରୂପ ଦେବା ପାଇଁ ସମିତିରେ ସାମିଲ ଥିବା ସମସ୍ତ ସଂଗଠନକୁ ନେଇ ଆସନ୍ତା ଜୁନ ୧୮ ତାରିଖରେ ବରଗଡ ଠାରେ ଏକ ବିଚାର ସମ୍ମିଳନୀ କରାଯିବ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମହାମାରୀକୁ ଆଖିରେ ରଖି କୋସଲବାଦୀ କ୍ରାନ୍ତିକାରୀମାନେ ଆନ୍ଦୋଳନକୁ ଧିମେଇ ଦେବା ସହ ଜନସେବାରେ ମନ ବଳାଇଥିଲେ । କିନ୍ତୁ ସରକାର କରୋନାର ବିକଳ ରୂପ ସମୟରେ ମଧ୍ୟ ବିଭିନ୍ନ ଦିଗରେ କୋସଲାଞ୍ଚଳ ପ୍ରତି ଆଞ୍ଚଳିକ ବୈଷମ୍ୟତା ପ୍ରଦର୍ଶନ କରିବା ଜାରି ରଖିଥିଲେ । କଟକଣାର ସୁଯୋଗ ନେଇ କୋସଲବାସୀଙ୍କ ଭାବାବେଗ ବିରୁଦ୍ଧରେ “ବନ୍ଦେ ଉକ୍ରଳ ଜନନୀ”କୁ ଏକ ଚାଟିଆ ଭାବେ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ଅଞ୍ଚଳରୁ ଭରପୁର ଭୋଟ ଗୋଟାଇ ଥିବା ନେତା ତଥା ଦଳ ମାନେ ମଧ୍ୟ ଏହାକୁ ଅତି ନିରବତା ଓ ନିର୍ଲଜତାର ସହ ଗ୍ରହଣ କରି ନେଇଥିଲେ । କିଛି ଦିନ ତଳେ ହାଇକୋର୍ଟ ବ୍ୟାଞ୍ଚକୁ ନେଇ ହାଇକୋର୍ଟ ବାର ଦେଇଥିବା ମନ୍ତବ୍ୟ ପରେ ଏମାନେ ଦେଇଥିବା ପ୍ରତିକ୍ରିୟା ଅଂଚଳ ଓ ଅଂଚଳବାସୀଙ୍କ ପ୍ରତି ଏମାନଙ୍କ ଦରଜ ସ୍ପଷ୍ଟ କରୁଛି । ସରକାର ମଧ୍ୟ ପାଲ କମିଶନ ରିପୋର୍ଟ, ଯଶବନ୍ତ ସିଂ କମିଶନ ରିପୋର୍ଟ ପରି ଏ ଉପରେ ଆଖି ବୁଜି ଦେଇଛନ୍ତି । ଆହୁରି ଅଞ୍ଚଳବାସୀଙ୍କୁ ବିଭାଜିତ କରିବାରେ ବିଭିନ୍ନ ଦିଗରେ ହୀନ ଉଦ୍ୟମମାନ କରାଯାଉଛି । ଏଥିରୁ ପୁଣି ଥରେ ସ୍ପଷ୍ଟ ହେଉଛି ଯେ କୋସଲ ପ୍ରଦେଶ ଗଠନ ବିନା ଏ ଅଞ୍ଚଳର ବିକାଶ ଅସମ୍ଭବ । ସ୍ୱତନ୍ତ୍ର କୋସଲ ହେବା ଯାଏଁ ଏହି ଭଳି ଅଞ୍ଚଳର ଛାତ୍ର, ଯୁବକ, କୃଷକ, ଶ୍ରମିକ ଆନ୍ଦୋଳନକୁ ଦମନ କରାଯାଉଥିବ । ତେଣୁ ଧର୍ମ, ଜାତି, ଦଳ, ସଂଗଠନ ନିର୍ବିଶେଷରେ ସମସ୍ତ କୋସଲବାଦୀ ଏକ ଜୁଟ ହୋଇ ତନ, ଧନ ଓ ମନ ଅର୍ପଣ କରି କୋସଲ ଆନ୍ଦୋଳନକୁ ଏଜ ଉଲଗୁଲାନର ରୂପ ଦେବାକୁ ହେବ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧକ୍ଷ୍ୟ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.