ls

କୋଲକାତାକୁ ୩୮ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କଲା ବାଙ୍ଗାଲୋର

2020

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ବାଙ୍ଗାଲୋର ଟିମ୍‌ର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ମ୍ୟାକ୍ସୱେଲ ଓ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ ବଳରେ ବାଙ୍ଗାଲୋର ସ୍କୋର ୨୦୪ ରନରେ ପହଂଚିଥିଲା । ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିଫଳ ହୋଇଥିଲେ । ଏହାପରେ ଗ୍ଲେନ ମାକ୍ସୱେଲ ଓ ଡିଭିଲିୟର୍ସ ଚମତ୍କାର ବ୍ୟାଟିଂ କରିଥିଲେ । ମାକ୍ସୱେଲ ୭୮ ଓ ଡିଭିଲିୟର୍ସ ୭୬ ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୪ ରନ୍‌ କରିବା ପରେ କୋଲକାତାକୁ ଏହି ମ୍ୟାଚ ଜିତିବା ପାଇଁ ୨୦୫ ରନ୍‌ର ଲକ୍ଷ୍ୟ ମିଳିଥିଲା । ଦ୍ୱିତୀୟ ଇନିଂସରେ କୋଲକାତା ୨୦ ଓଭରରେ ୮ଟି ୱିକେଟ ହରାଇ ୧୬୬ ରନ୍‌ କରିଥିଲା । ଆନ୍ଦ୍ରେ ରସେଲ ସର୍ବାଧିକ ୩୧ ରନ୍‌ କରିଥିଲେ । ସେ ୨୦ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଧିନାୟକ ଇଅନ୍‌ ମୋର୍ଗାନ ୨୯ ରନ୍‌ ଯୋଡ଼ିଥିଲେ । ସେ ୨୩ଟି ବଲ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ । ବାଙ୍ଗାଲୋର ପକ୍ଷରୁ କାଏଲ ଜେମିସନ ୩ଟି ୱିକେଟ୍‌ ନେଇଥିଲେ । ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ୨-୨ ୱିକେଟ ମିଳିଥିବା ବେଳେ ୱାସିଂଟନ ସୁନ୍ଦରଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

Leave A Reply

Your email address will not be published.