ଆଇପିଏଲ୍‌ : ହାଇଦ୍ରାବାଦକୁ ହରାଇଲେ ରାଜସ୍ଥାନର ଯୁବ ଭାରତୀୟ ଯୋଡ଼ି ତିୱାଟିୟା-ରୀୟାନ୍

ଦୁବାଇ : ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୨୬ ତମ ମ୍ୟାଚ୍‌ରେ ରବିବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପରେ ରାଜସ୍ଥାନକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।
ଡେଭିଡ୍‌ ଓ୍ଵାର୍ନରଙ୍କ ହାଇଦ୍ରାବାଦ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ହ୍ରାଇଦ୍ରାବାଦ୍‌ ଟିମ୍‌ର ଇନିଂସ ଆରମ୍ଭ କରିଥିଲେ ଡେଭିଡ୍‌ ଓ୍ଵାର୍ନର (୪୮ ରନ୍‌, ୩୮ ବଲ୍‌, ୩ ଚୌକା, ୨ ଛକା) ଓ ଜନି ବେୟାରଷ୍ଟୋ (୧୬ ରନ୍‌, ୧୯ ବଲ, ୧ ଛକା)। ଦୁଇ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରୁଥିବା ବେଳେ ଟିମ୍‌ ୨୩ ରନ୍‌ରେ ବେୟାରଷ୍ଟୋଙ୍କୁ ହରାଇଥିଲା। କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ ସଂଜୁ ସାମସନ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ ବେୟାରଷ୍ଟୋ। ଏହା ପରେ ବେୟାରଷ୍ଟୋଙ୍କ ସ୍ଥାନ ପୂରଣ କରିବାକୁ ମନୀଷ ପାଣ୍ଡେ ପଡ଼ିଆକୁ ଆସିଥିଲେ। ମନୀଷ ୨ୟ ଓ୍ଵିକେଟ୍‌ ପାଇଁ ଓ୍ଵାର୍ନରଙ୍କ ସହ ୭୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ରାଜସ୍ଥାନ ବୋଲର ଜୟଦେବ ଉନାଦକଟଙ୍କ ବଲ ରାହୁଲ ତିଓ୍ଵାତିଆଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ ଓ୍ଵାର୍ନର। ମନୀଷ ବ୍ୟକ୍ତିଗତ ଭାବେ ୪୪ଟି ବଲ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ହାଇଦ୍ରାବାଦ୍‌ ୩ୟ ଓ୍ଵିକେଟ୍‌ ଭାବେ ମନୀଷଙ୍କୁ ହରାଇଥିଲା। କେନ୍‌ ଓ୍ଵିଲିୟମସନ୍‌ ଦଳ ପାଇଁ ଅପରାଜିତ ୨୨ ରନ୍‌ ଯୋଗଦାନ ଦେଇଥିଲେ। ସେ ୧୨ଟି ବଲ ଖେଳି ୨ଟି ଚୌକା ମଧ୍ୟ ମାରିଥିଲେ। ସେହିପିରି ପ୍ରିୟମ ଗର୍ଗ ୮ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ସହିତ ୧୫ ରନ୍‌ କରିଥିଲେ। ସେ ଜୋଫ୍ରା ଆର୍ଚ୍ଚର ଓ ଜୋସ୍‌ ବଟଲରଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ।

ଦ୍ଵିତୀୟ ପାଳିରେ ରାଜସ୍ଥାନ ୧୧.୬ ଓଭରରେ ୭୮ ରନ୍‌ ସଂଗ୍ରହ କରି ନିଜର ୫ ଜଣ ଖେଳାଳିଙ୍କୁ ହରାଇଥିଲା। କିନ୍ତୁ ଶେଷ ୫ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍‌ର ବୋଲରମାନେ ଭଲ ପ୍ରଦର୍ଶନ କରି ନପାରିବାରୁ ଏଥିରୁ ଫାଇଦା ଉଠାଇଥିଲେ ରାଜସ୍ଥାନର ଖେଳାଳି। ରାଜସ୍ଥାନ ପାଇଁ ରାହୁଲ ତିଓ୍ଵାତିଆ ଅପରାଜିତ ରହି ସର୍ବାଧିକ ୪୫ ରନ୍‌ (୨୮ ବଲ୍‌, ୪ ଚୌକା, ୨ ଛକା) ସଂଗ୍ରହ କରିଥିବା ବେଳେ ତାଙ୍କ ସହିତ ଭଲ ଭାଗିଦାରୀ ହୋଇପାରିଥିଲେ ରିୟାନ ପରାଗ (୪୨ ରନ୍‌, ୨୬ ବଲ, ୨ ଚୌକା, ୨ ଛକା)। ରାଜସ୍ଥାନ ପାଇଁ ଓପନର ବେନ୍‌ ଷ୍ଟୋକ୍‌ ୫ ରନ୍‌, ଜୋସ୍‌ ବଟଲର ୧୬ ରନ୍‌, ଷ୍ଟିଭ୍‌ ସ୍ମିଥ୍‌ ୫ ରନ୍‌, ସଂଜୁ ସାମସନ୍‌ ୨୬ ରନ୍‌ ଓ ରବିନ ଉଥାପ୍ପା ୧୮ ରନ୍‌ କରିଥିଲେ।

Leave A Reply

Your email address will not be published.