ଧୋନିଙ୍କ ଚେନ୍ନାଇକୁ ୩୭ ରନ୍‌ରେ ହରାଇଲା କୋହଲିଙ୍କ ବାଙ୍ଗାଲୋର : ଅପରାଜିତ ୯୦ ରନ୍‌ର ବିରାଟ ପାଳି ଖେଳି କୋହଲି ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୩୭ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।
ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଆରମ୍ଭରୁ ଆରୋନ ଫିଞ୍ଚଙ୍କ ଓ୍ବିକେଟ ହରାଇଥିବା ବେଳେ ଅନ୍ୟତମ ଓପନର ଦେବଦତ୍ତ ପଡ଼ିକଲ୍ଲ ଓ ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଥିଲେ ଓ ଦଳକୁ ବିପଦମୁକ୍ତ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଦେବଦତ୍ତ ୩୩ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ଶୂନରେ ଆଉଟ ହେବା ଫଳରେ ଦଳ ଉପରେ ଚାପ ବଢିଯାଇଥିଲା। କିନ୍ତୁ ଅନ୍ୟପଟେ ବିରାଟ କିଙ୍ଗ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ସେ ୫୨ଟି ବଲରୁ ୯୦ ରନ କରି ଅପରାଜିତ ରହିଥିଲେ। ବିରାଟଙ୍କ ଏହି ଇନିଂସ ବଳରେ ବାଙ୍ଗାଲୋର ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।


ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍‌ କରି ପରାଜୟ ବରଣ କରିଛି। ଚେନ୍ନାଇ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା। ଓପନର ୱାଟସନ୍‌ ୧୪ ରନ୍‌ କରି ଆଉଟ ହୋଇଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ମାତ୍ର ୮ ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ। ସେହିପରି ଅମ୍ବାତି ରାୟୁଡୁ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଏନ୍‌ ଜଗଦୀଶନ୍ ୩୩ ରନ୍‌ କରିଥିଲେ। ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୱାଶିଂଟନ୍ ସୁନ୍ଦର ୨ଟି ୱିକେଟ, କ୍ରିସ୍ ମୋରିସ୍ ୩ଟି ୱିକେଟ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଦାନା ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ।
ସୂଚନାଯୋଗ୍ୟ ଯେ, ଆରସିବି ଏହି ବିଜୟ ସହ ୬ଷ୍ଠ ମ୍ୟାଚର ୪ର୍ଥ ବିଜୟ ହାସଲ କରିଥିବା ବେଳେ ଅନ୍ୟପକ୍ଷରେ ୭ମ ମ୍ୟାଚରୁ ୫ମ ପରାଜୟ ଭୋଗିଛି ।

Leave A Reply

Your email address will not be published.